ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଏନଏସିରେ ସପ୍ଲାଇ ପାଣିର ଅବ୍ୟବସ୍ଥା ଦୀର୍ଘ ଦିନରୁ ଲାଗି ରହିଛି । ଏନେଇ ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କରିଆସୁଥିଲେ ମଧ୍ୟ ଅଣଦେଖା କରାଯାଉଥିବା ବେଳେ ଆଜି ବିଜେପି ଦଳ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ଏକ ଦାବିପତ୍ର ଦିଆଯାଇଛି । ପଦ୍ମପୁର ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାନୀୟ ଜଳ ଦୂଷିତ ଥିବାରୁ ସ୍ଥାନୀୟ ବାସିନ୍ଦା ନାନା ରୋଗରେ ଆକ୍ରାନ୍ତ ହେଲେଣି ।
ଅନ୍ୟପଟେ ମାଟିତଳେ ଲଗାଯାଇଥିବା ପାଣିପାଇପ ଗୁଡିକ ଦୀର୍ଘବର୍ଷ ପୁରୁଣା ହୋଇଯାଇଥିବାରୁ ପାଇପ ଗୁଡିକ ଫାଟି ଯାଇଛି । ଯାହାଫଳରେ ନାଳ ନର୍ଦ୍ଦମା ମାନଙ୍କର ଦୂଷିତ ପାଣି ସବୁ ସେହି ଫଟା ପାଣି ପାଇପ ଭିତରକୁ ପ୍ରବେଶ କରିଯାଉଛି ।
ଯାହାଫଳରେ ପ୍ରତିଘରେ ଦୂଷିତ ପିଇବା ପାଣି ପହଞ୍ଚୁଛି । ଆଉ ଏହି ଦୁର୍ଗନ୍ଧ ଯୁକ୍ତ ପାଣି ହଜାର ହଜାର ପରିବାର ପାଇଁ ଅନୁପଯୋଗୀ ଏବଂ ପାଣି ଟିକକ ପାଇଁ ସେମାନଙ୍କୁ ଅନ୍ୟତ୍ର ସ୍ଥାନକୁ ଯିବାକୁ ପଡୁଛି ।
ଗ୍ରୀଷ୍ମଋତୁରେ ପିଇବା ପାଣି ଟିକକ ପାଇଁ ସହରବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଯଥା ଶୀଘ୍ର ପାଇପ ଗୁଡିକର ମରାମତି କରାଯାଉ ବୋଲି ବିଜେପି ଦଳ ପକ୍ଷରୁ ଦାବି କରାଯାଇଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ