ବରଗଡ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟବ୍ୟାପୀ ବିଜେପି ଆନ୍ଦୋଳନ ଚଳାଇଛି । ମଙ୍ଗଳବାର ରାଜ୍ୟର ସମସ୍ତ ଥାନାକୁ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ବରଗଡ ବିଜେପି ପକ୍ଷରୁ ଟାଉନ ଥାନା ଘେରାଉ କରାଯିବା ସହ ଥାନା ଆଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କର ସମ୍ପୃକ୍ତି ଅଭିଯୋଗ କରି ବିଜେପି ପକ୍ଷରୁ ଏପରି କରାଯାଉଛି । ସୂଚନାଥାଉକି, ଶନିବାର ରାତିରେ କଟକ ଜିଲ୍ଲା ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା । ପରେ ଘଟଣାକୁ ନେଇ 4 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଅନ୍ୟପଟେ ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଦର୍ଶାଯାଇ ତାଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି । ଯାହାକୁ ନେଇ ରାଜନୀତି ଜୋର ଧରିଛି ।
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ