ବରଗଡ: ରବିଋତୁ ଧାନ ସଂଗ୍ରହରେ ଅଚଳାବସ୍ଥାକୁ ପ୍ରସଙ୍ଗ କରି ବରଗଡ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଘେରିଲା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । ମଇ ୫ ତାରିଖରୁ ଜିଲ୍ଲାରେ ଧାନ କିଣାବିକା ପ୍ରକ୍ରିୟା ଚାଲିଥିବାବେଳେ ଚାଷୀଙ୍କ ଟୋକନ ସମସ୍ୟା, ମଣ୍ଡିରେ ଧାନ ଗଜା ଦେବା ଘଟଣା ସହ ବିଭିନ୍ନ ସମସ୍ୟା ନେଇ ବିଜେପୁର ବ୍ଲକ ସାଇପାଲି ମାର୍କେଟ ୟାର୍ଡରୁ 42 କିଲୋମିଟର ଧରି ଏକ ସାଇକେଲ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟଳୟକୁ ଧସେଇ ପଶିଥିଲେ ବିଜେପି କୃଷକ ମୋର୍ଚ୍ଚା । ଦୀର୍ଘ ସମୟ ଧରି ମୁଖ୍ୟ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବାରୁ ଅଫିସ ଭିତରେ ଚାଷୀଙ୍କ ସହ ବିଜେପି ନେତାଗଣ ଧାରଣାରେ ବସିଛନ୍ତି ।
ସମଗ୍ର ବରଗଡ ଜିଲ୍ଲାର ଚାଷୀ ରବି ଫସଲର ଅମଳ ଧାନ ବିକ୍ରି କରିନପାରି ହନ୍ତସନ୍ତ ହୋଇପଡିଲେଣି । ରାଜ୍ୟ ସରକାରଙ୍କ ଟୋକନ ସିଷ୍ଟମ କାରଣରୁ ଆଜି(ସୋମବାର) ଭାତହାଣ୍ଡିର ଚାଷୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି । ତେବେ ବିଜେପି ଦଳ ପକ୍ଷରୁ ସରକାରଙ୍କ ଏପରି କୃଷକ ମାରଣା ନୀତି ବିରୋଧରେ ଆଜି ଏକ ସାଇକେଲ ରାଲି କରି ଜିଲ୍ଲା ଯୋଗାଣ ଅଫିସରେ ଧାରଣା ଦିଆଯାଇଥିଲା ।
ରାଜ୍ୟ କୃଷକ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ବିଜେପି ସଭାପତି ଅଶ୍ଵିନୀ ଷଡ଼ଙ୍ଗୀଙ୍କ ସମେତ ବିଜେପି ନେତାମାନେ ଉକ୍ତ ସାଇକେଲ ରାଲିରେ ଆସି ଜିଲ୍ଲା ଯୋଗାଣ ଅଫିସରେ ଧାରଣାରେ ବସିଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ