ବରଗଡ଼: ବର୍ଷକ ବାର ମାସ ଓ ଛଅଟି ଋତୁ । ଆଉ ମଳୟବସନ୍ତ ପରେ ମାଡ଼ିଆସେ ଟାଇଁ ଟାଇଁ ଖରା । ଗ୍ରୀଷ୍ମର ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ମଣିଷକୁ ଅସ୍ତବ୍ୟସ୍ତ କରି ପକାଏ । ଜୀବନ ବିକଳରେ ଲୋକେ ଘର ଭିତରେ ରହି ବିଭିନ୍ନ ଉପାୟରେ ଟିକିଏ ଥଣ୍ଡା ପବନ ପାଇବାକୁ ଏସି, କୁଲର କିମ୍ବା ଫ୍ୟାନ ପବନରେ ବସନ୍ତି । କିନ୍ତୁ ଠିକ ଏହି ସମୟରେ ନଦୀ ମୁହାଣ ମାନଙ୍କରେ କୋଦାଳ ଧରି ବୁଲି ବୁଲି ମାଟି ହାଣି ବେଣା ଗଛର ଚେର ସଂଗ୍ରହ କରିଥାନ୍ତି ବରଗଡ ବ୍ଲକ ନିଲେଶ୍ଵର ଗ୍ରାମର ବହୁ ବେଣା ଚେର କାରିଗର । ପ୍ରବଳ ଗ୍ରୀଷ୍ମରେ ବେଣାଚେରରେ ତିଆରି ସାମଗ୍ରୀ ନିର୍ମାଣ କରି ପେଟ ପୋଷନ୍ତି କାରିଗର ପରିବାର । କିନ୍ତୁ ଚଳିତ ବର୍ଷ କୋରୋନା ମାଡରେ ଏହି ବେଣାଚେର କାରବାର ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଲକଡାଉନ କାରଣରୁ ଚଳିତ ବର୍ଷ ନାଁ ବେଣାଚେର ସଂଗ୍ରହ କରିପାରିଛନ୍ତି ନାଁ ସାମଗ୍ରୀ ବିକ୍ରି କରିପାରୁଛନ୍ତି ଏହି କାରିଗର ।
ମହାମାରୀ କୋରୋନା ଯୋଗୁଁ ଅନ୍ୟ ବର୍ଷ ପରି ଚଳିତ ବର୍ଷ ବେଣା ଚେର କାରିଗର ମାନଙ୍କର ସାମଗ୍ରୀ ବିକ୍ରିରେ ବହୁ ପରିବର୍ତ୍ତନ ଦେଖାଦେଇଛି । ଆଗପରି ନା ସେତେ ସଂଖ୍ୟାରେ ବେଣାଚେର ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି ନାଁ ବିକ୍ରି ହେଉଛି । ଅନ୍ୟ ବର୍ଷ ମାନଙ୍କରେ ବେଣା ଚେର କାରିଗରଙ୍କ ପରିବାର ଦିନ ତମାମ ଗୁନ୍ଥି ଚାଲେ ଗୋଟେ ପରେ ଗୋଟେ ସାମଗ୍ରୀ । କିଏ କୁଲର ପାଇଁ ଖସଖସ ତିଆରିରେ ଲାଗିପଡେ ତ ଆଉ କିଏ କବାଟ ଦ୍ଵାରବନ୍ଧରେ ଲଗାଯାଉଥିବା ବେଣା ଚେର ପଟି ନିର୍ମାଣରେ । ଏପରିକି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ମାନେ ମଧ୍ୟ ଲାଗିପଡ଼ନ୍ତି ବେଣା ଚେରର ବିଛଣା ତିଆରିରେ । ପୁରା ପରିବାର ପେଟପାଟଣା ପାଇଁ ନିଜର କୌଳିକ ବୃତ୍ତିରେ ବ୍ୟସ୍ତ ହୋଇପଡିଥାନ୍ତି ଗ୍ରୀଷ୍ମ ଋତୁରେ । ହେଲେ କିଏ ଜାଣିଥିଲା ଯେ କୋରୋନା ମହାମାରୀ, ବରଗଡ ଜିଲ୍ଲାର ବେଣା ଚେର କାରିଗରଙ୍କ ଜୀବନ ଜୀବିକାକୁ ଦୋହଲାଇ ଦେବ ।
ଗୋଟିଏ ପରିବାର 200ରୁ ଅଧିକ ବେଣା ଚେର ସାମଗ୍ରୀ ତିଆରି କରି ସାଇକେଲରେ ଗାଁ ଠାରୁ ସହର ବୁଲିବୁଲି ବିକ୍ରି କରିଥାନ୍ତି । ଏବେ କିନ୍ତୁ ଘରୁ ବାହାରିଲେ ପୋଲିସର ମାଡ ସାଙ୍ଗକୁ କୋରନା ଭୟ । ଘରେ ପଡିରହିଛି ତିଆରି କରିଥିବା ବେଣା ଚେର ପଟି । ସରକାର ଗରିବଙ୍କ ପାଇଁ ଏହି ଭୟଙ୍କର ମହାମାରୀ ବେଳେ ଟଙ୍କା ସାଙ୍ଗକୁ ଚାଉଳ ଯୋଗାଇ ଦେଉଛନ୍ତି ସତ ହେଲେ ତାହା ସମୁଦ୍ରକୁ ଶଙ୍ଖେ। ସେପଟେ ଋତୁକାଳୀନ ଜୀବିକାଟି ସଂପୂର୍ଣ୍ଣ ଠପ ହୋଇପଡିଲେ ଘରେ ପଡିରହିଥିବା ସାମଗ୍ରୀ ଆଉ ବିକ୍ରି ହେବ କେମିତି ? ପରିବାରର ଅଭାବ ମୋଚନ ହେବ କିପରି ଏହି ଚିନ୍ତାରେ ଦିନ ବିତାଉଛନ୍ତି ବେଣାଚେର କାରିଗର ।
ଜୀବନ ଜୀବିକା ସବୁକୁ ଛଡ଼ାଇ ନେଇ କୋରୋନା ଆଉ କେତେ ଯେ ଦୁଃଖ ଦୁର୍ଦ୍ଦଶାର କାହାଣୀ ଲେଖିବ ତାହା ସମୟ କହିବ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ