ବରଗଡ: ଅବହେଳିତ ଖେଳ ପଡିଆକୁ ମିନି ଷ୍ଟାଡିୟର ରୂପ ଦେବାକୁ ବରଗଡବାସୀଙ୍କ ଦାବି । ଖେଳ ପଡିଆକୁ ସୁରକ୍ଷିତ ରଖିବା ପାଇଁ ଜମୁର୍ଡା ଗ୍ରାମବାସୀ ଏବଂ କ୍ରୀଡାବିତମାନେ ନିଜସ୍ଵ ପ୍ରଚେଷ୍ଟାରେ ପ୍ରତିବର୍ଷ ଆୟୋଜନ କରୁଛନ୍ତି ଫୁଟବଲ ଟୁର୍ଣ୍ଣାମେଣ୍ଟ ।
ବରଗଡ ବ୍ଲକ ଜମୁର୍ଡା ଖେଳ ପଡିଆ ଠାରେ ଗତ ଡିସେମ୍ବର 21 ତାରିଖରୁ ଚାଲିଛି ଜମୁର୍ଡା ଫୁଟବଲ କପ । ଆମ୍ବେଦକର ଆଥଲେଟିକ ଏସୋସିଏନ ଜମୁର୍ଡା ପକ୍ଷରୁ ଏହି ଫୁଟବଲ ମେଳା ଆୟୋଜନ କରାଯାଇଥିବା ବେଳେ ଆଖପାଖ ଅଞ୍ଚଳର ୩୨ ଗୋଟି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ।
ଜମୁର୍ଡାର ବିରାଟ ଖେଳପଡିଆକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ଯେତେ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ନପାଇବାରୁ ଗ୍ରାମବାସୀ ନିଜେ ଏହି ଖେଳପଡିଆରେ ଖେଳ ଆୟୋଜନ କରି ଏହାର ପ୍ରଯତ୍ନ ନେଉଛନ୍ତି |
ତେବେ ଦୀର୍ଘ ୨୪ ଦିନ ହେଲା ଏଠାରେ ପ୍ରତିଦିନ ଦୁଇଟି ଲେଖାଏଁ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଗୁରୁବାର ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଫାଇନାଲ ମ୍ୟାଚରେ ପାତିକାରପଲ୍ଲୀ ଓ ଜାଣ୍ଡୋଲ ମଧ୍ୟରେ ଅନୁଷ୍ଠିତ ହେବ ।
ଆଖପାଖ ଗ୍ରାମର ବହୁ ଯୁବ ଖେଳାଳି ନିଜର ପ୍ରତିଭା ଏହି ଜମୁର୍ଡ଼ା ଟୁର୍ଣ୍ଣାମେଣ୍ଟରେ ଦେଖାଇ ପାରୁଛନ୍ତି । ତେବେ ୨୨ ଏକର ବିଶିଷ୍ଠ ଏହି ଖେଳ ପଡିଆକୁ ଷ୍ଟ୍ୟାଡିୟମ କରାଯାଉ ବୋଲି ଗ୍ରାମବାସୀଙ୍କ ଦାବି ରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ