ବରଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ ରହିଥିବା ବେଳେ ଜିଲ୍ଲାର ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବରଗଡ଼ ଜିଲ୍ଲାର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅଗଷ୍ଟ 9, କ୍ରାନ୍ତି ଦିବସରୁ ଆରମ୍ଭ କରି ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।
ଗୋଟେପଟେ କୋରୋନା ଭୟ କାରଣରୁ ନିଜର ସୁରକ୍ଷା ଦୃଷ୍ଟିରୁ ରକ୍ତ ଦେବାକୁ ଲୋକେ ଇଚ୍ଛୁକ ହେଉ ନଥିବା କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ତେବେ ଅନବରତ ରକ୍ତଦାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ କରାଯିବା ସହ କୋରୋନାରୁ ଭଲ ହୋଇ ଫେରିଥିବା ଲୋକଙ୍କୁ ପ୍ଲାଜମା ଦାନ ପାଇଁ ମଧ୍ୟ ଅପିଲ କରୁଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ।
ଏହି ରକ୍ତଅଭାବ କାରଣରୁ ଗତ ଦୁଇମାସ ଭିତରେ ଜିଲ୍ଲାରେ ୬ ଜଣଙ୍କର ଜୀବନ ଯାଇଛି । ଯାହାକୁ ନେଇ ରକ୍ତଦାନ ପାଇଁ ଲୋକଙ୍କୁ ସଚେତନ କରାଇବା ଜରୁରୀ ହୋଇପଡିଛି ।
ଏହି ଶିବିରରେ ସୋମବାର ଶତାଧିକ ଯୁବକ ଯୋଗଦେଇ ଥିବାବେଳେ 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କୋରୋନା ମହାମାରୀ ସମୟରେ ରକ୍ତର ଯେପରି ଅଭାବ ନହେବ, ଏନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବରଗଡ ବିଧାୟକ କହିଛନ୍ତି। ଅଗାମୀ ଦିନରେ ପ୍ଲାଜମା ଦାନକୁ ମଧ୍ୟ ପଛଘୁଞ୍ଛା ନଦେବା ପାଇଁ ଯୁବ ଗୋଷ୍ଠୀକୁ ରାଜ୍ୟସଭା ସାଂସଦ ଅନୁରୋଧ କରିଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ