ବରଗଡ: ଲକଡାଉନକୁ ଆହୁରି କଡାକଡି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦେଶକୁ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଅମାନିଆ ବ୍ୟବସାୟୀଙ୍କ ଦୋକାନକୁ ସିଲ କରିଥିଲାବେଳେ ବିନା ଅନୁମତିରେ ବାଇକରେ ବୁଲୁଥିବା ବ୍ୟକ୍ତିଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି ।
ବରଗଡ ସହରରେ ଲକଡାଉନ ଜୋରଦାର କରାଯାଇଛି ଏବଂ ଜନସାଧାରଣଙ୍କୁ କିଣା ବିକାର ଧାର୍ଯ୍ୟ ସମୟ ସୀମା ମଧ୍ୟ ଜଣାଇ ଦିଆଯାଇଛି | ସକାଳ ୬ ଟାରୁ ୧୦ଟା ମଧ୍ୟରେ କିଣାବିକା ଶେଷ ହେବା ପରେ ଯେମିତି କେହି ମଧ୍ୟ ନିଜ ଘରୁ ବାହାରକୁ ନବାହାରିବେ ସେନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ତାଗିଦ କରାଯାଇଛି | ଏପରିକି ସହରରର ସମସ୍ତ ଦୋକାନ ମାନଙ୍କୁ ମଧ୍ୟ କୁହାଯାଇଥିଲା ସେମାନେ ଯେପରି ସାମାଜିକ ଦୁରତ୍ଵ ନିୟମକୁ ପାଳନ କରିବେ ଏବଂ ଦୋକାନ ସମ୍ମୁଖରେ ଲୋକଙ୍କ ଗହଳି ଦେଖାଗଲେ ସେହି ଦୋକାନକୁ ଲକଡାଉନ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ ।
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅମାନିଆ ବ୍ୟବସାୟୀ ମାନଙ୍କର ଦୋକାନ ଗୁଡିକୁ ସିଲ କରାଯାଇଛି | ସମସ୍ତ ନିୟମକୁ ଉଲ୍ଲଂଘନ କରି ବ୍ୟବସାୟରେ ମାତିଥିବା ବରଗଡ ଉମା ଟକିଜ ରୋଡର ଦୁଇ ଗୋଟି ଗ୍ରୋସେରି ଦୋକାନକୁ ଲକଡାଉନ ଶେଷ ହେବା ଯାଏଁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ