ବରଗଡ଼: ଜିଲ୍ଲାର ତୋରା ସୋସାଇଟିରେ ଗତ ରବି ଫସଲର ଧାନ ସଂଗ୍ରହ ସମୟରେ ହୋଇଥିଲା ବ୍ୟାପକ ଦୁର୍ନୀତି । ତେବେ ଗତ ମାସେ ତଳେ ଘଟଣାର ପର୍ଦ୍ଦାଫାସ ମଧ୍ୟ ହୋଇଥିଲା । ହେଲେ ଘଟଣାକୁ ମାସେ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିଆଯାଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ । ଏଭଳି ଅଭିଯୋଗ ନେଇ ବରଗଡ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ଆମ ଆଦମି ପାର୍ଟି ।
ଦକ୍ଷିଣ ରେଳପଥ, ନଈନାଳ, ପୋଖରୀ, ଗ୍ରାମ୍ୟରାସ୍ତା ଭଳି କେତେକ ସରକାରୀ ଜମିକୁ ଚାଷଜମି ଦର୍ଶାଇ ଚାଷୀ ପରିଚୟ ପତ୍ର ତିଆରି କରାଯାଇଥିଲା ଏବଂ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଏହି ଦୁର୍ନୀତିରେ ଖୋଦ୍ ସମବାୟ ସମିତି , ଯୋଗାଣ ବିଭାଗ ଠାରୁ ଆରମ୍ଭ କରି ବହୁ ସରକାରୀ କର୍ମଚାରୀ ସାମିଲ ରହିଥିବା ଜଣା ପଡିଥିଲା । କିନ୍ତୁ ଉପରିସ୍ଥ ଅଧିକାରୀ ତଦନ୍ତ ନାମରେ ଦିନ ଗଡାଇ ଚାଲିଥିବା ଅଭିଯୋଗ କରିଛି ଆମ ଆଦମି ପାର୍ଟି | ତେବେ ଯଥା ଶୀଘ୍ର ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବରଗଡ ଆମ ଆଦମି ପାର୍ଟି | ନଚେତ ଦଳ ଆଗାମି ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଏନେଇ ଦଳର ଆବାହକ ଭବାନୀ ପ୍ରସାଦ ସାହୁଙ୍କ ନେତୃତ୍ବରେ ପବିତ୍ର ଦେହୁରୀ, ରମେଶ ପତି, ମେରିୟମ ବାର୍ଲା, ଅସିତ୍ ସାହୁ, ମହମ୍ମଦ ଅଲିମ୍ ପ୍ରମୁଖ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି |
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ