ବରଗଡ: ପଦାରେ ପଡିଲା ବରଗଡ଼ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗୁଣ୍ଡାଗର୍ଦ୍ଦି । ବିଡ଼ିଓଙ୍କ ଉପସ୍ଥିତିରେ ଯୋଗାଣ ଅଧିକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହୋହାଲ୍ଲା । ରାସନ କାର୍ଡ ଅନିୟମିତତା ପ୍ରସଙ୍ଗରେ ବିଡ଼ିଓଙ୍କୁ ଏକ ଦାବିପତ୍ର ଦେବାକୁ ଆସିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧସ୍ତା ଧସ୍ତି ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳିକି ଅଫିସ କାର୍ଯ୍ୟାଳୟ ଭିତରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆଚରଣ ଉଚ୍ଚାରଣ ଭିଡିଓ ସୋସିଏଲ ମିଡ଼ିଆରେ ଭାଇରାଲ ହେବାକୁ ବସିଛି ।
ହେଲେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଢଙ୍ଗୀଙ୍କ ସମ୍ମୁଖରେ ବିଡ଼ିଓଙ୍କ ଅଫିସରେ ଏଭଳି ହଙ୍ଗମାକୁ ନେଇ ଯୋଗାଣ ଅଧିକାରୀ ଏବଂ ବିଡ଼ିଓ କଣ ପଦକ୍ଷେପ ନେବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । କିନ୍ତୁ ବ୍ଲକ ଅଧ୍ୟକ୍ଷା ମଞ୍ଜୁ ପଣ୍ଡା ବିଜେପି ଦଳର ଏଭଳି ଗୁଣ୍ଡା ଗର୍ଦ୍ଦିକୁ ନାପସନ୍ଦ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବି ବୋଲି କହିବା ସହ ଆଇନ ଆଶ୍ରୟ ନେବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଢଙ୍ଗୀ ତାଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି ଅଭିଯୋଗ ଆଣୁଥିବା କହିଛନ୍ତି । ହୋ ହଲ୍ଲା ପାଟିତୁଣ୍ଡ ଅଣାୟତ୍ତ ହେବାରୁ ଟାଉନ ପୋଲିସ ମଧ୍ୟ ବ୍ଲକକୁ ଆସି ମଧ୍ୟସ୍ଥି ସାଜିବାକୁ ପଡିଥିଲା । ତେବେ ଏଭଳି ଗୁଣ୍ଡାଗର୍ଦ୍ଦିକୁ ନେଇ ବ୍ଲକ ପ୍ରଶାସନର ଆଭିମୁଖ୍ୟ କଣ ରହୁଛି ଦେଖିବାକୁ ବାକି ରହିଲା ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ