ବରଗଡ: ବର୍ତ୍ତମାନ ସମୟ ବଦଳିବା ସହ ମଣିଷର ଜୀବନ ଜୀବିକା ମଧ୍ୟ ବଦଳିବାକୁ ଲାଗିଛି । ହେଲେ ଆଜିବି ଅନେକ ପରିବାର ସେମାନଙ୍କର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାପାଇଁ ଅଭାବ ଅନଟନ ସତ୍ତ୍ବେ ସଂଘର୍ଷ ଜାରି ରଖିଛନ୍ତି । ଏପରି କିଛି ଦେଖିବାକୁ ମିଳିଛି ବରଗଡ ଜିଲ୍ଲାର ବାଉଁଶ କାରୀଗରଙ୍କ କ୍ଷେତ୍ରରେ ।
ଆଜି ମଧ୍ୟ ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ସମୁଦାୟ ୨୫୦୦ ପରିବାର ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ବାଉଁଶ କାରିଗରୀ କାମ କରୁଛନ୍ତି । ବରଗଡର ୬ଟି ବ୍ଲକରେ ବାଉଁଶ କାରିଗର ଥିବାବେଳେ ମୁଖ୍ୟତଃ ଭଟଲି, ଅମ୍ବାଭୋନା ଓ ଅତାବିରା ବ୍ଳକରେ ଅଧିକାଂଶ ବାଉଁଶ କାରିଗର ରହିଛନ୍ତି । ଏହି ବାଉଁଶ ଶିଳ୍ପୀ କେବଳ ବାଉଁଶ କାମ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି ।
ଘଞ୍ଚ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେହି ବାଉଁଶରେ ନାନା ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରିଥାନ୍ତି ଏବଂ ଯାହାକିଛି ବିକ୍ରି ହୋଇଥାଏ ସେଥିରୁ ସେମାନେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ପିଲାଠୁ ବୁଢା ପର୍ଯ୍ୟନ୍ତ ପରିବାରର ପ୍ରତ୍ୟେକ ସଦସ୍ୟ ପରମ୍ପରା ଅନୁଯାୟୀ ବଂଶାନୁକ୍ରମିକ ଭାବେ ଆଦରି ନେଇଛନ୍ତି ଏହି ବାଉଁଶ ଶିଳ୍ପକୁ । ଏହା ସହ ପରିବାରର ସ୍ତ୍ରୀଲୋକ ମଧ୍ୟ ଏହି କାମକୁ ଆଦରି ନେଇ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗୃହ ଉପକରଣ ।
ଅମ୍ବଭାନା, ଭଟଲି ଓ ଅତାବିରା ଅଞ୍ଚଳର କାରିଗର ପୂର୍ବରୁ ବାଉଁଶ ପାଇଁ ନିକଟସ୍ଥ ବାରପାହାଡ ଜଙ୍ଗଲ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରୁଥିଲେ ହେଲେ ବର୍ତ୍ତମାନ ପରିବେଶ ବିଭାଗ ଏଥିରେ ପ୍ରତିବନ୍ଧକ ସାଜିଛି । ଯେଉଁଥିପାଇଁ ସେମାନେ ବାହାରୁ ଚଢ଼ା ଦରରେ ବାଉଁଶ କିଣିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ୟ ପକ୍ଷରେ ବଜାରକୁ ଖୁବ କମ୍ ଦାମ୍ ରେ ନିର୍ମିତ ପ୍ଲାଷ୍ଟିକ ଗୃହ ଉପକରଣ ପ୍ରବେଶ କରୁଥିବାରୁ ଜନସାଧାରଣ ଏହି ଜିନିଷ ଉପରେ ଆଗ୍ରହ ପ୍ରକାଶ କରୁଛନ୍ତି । ସେହିପରି ବିବାହ, ବ୍ରତ ସମୟରେ ବାଉଁଶ ତିଆରି ସାମଗ୍ରୀର ଚାହିଦା ଅଧିକ ଥିବାବେଳେ ବେଶ ଦି ପଇସା ରୋଜଗାର କରିଥାନ୍ତି ଏହି ବାଉଁଶ କାରିଗର । ଅନ୍ୟ ସମୟରେ ସେମାନଙ୍କ ବାଉଁଶ ନିର୍ମିତ ଜିନିଷ ଠିକ୍ ଭାବରେ ବିକ୍ରୀ ହେଉନଥିବାରୁ ବାଉଁଶ କାରିଗରଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡ଼ିଛି ।
ଏପରି ଦୟନୀୟ ସ୍ଥିତିରେ ଥିବା ବରଗଡ ଜିଲ୍ଲାର ବାଉଁଶ କାରିଗର ନିଜର ଜୀବିକା ପରିବର୍ତ୍ତନ କରି ପାରିନାହାଁନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ୨୦୦ ବାଉଁଶ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇ ଶିଳ୍ପକଳା ଉପରେ ବିଭିନ୍ନ ତାଲିମ ଦିଆଯାଇ ଷ୍ଟାଇପେଣ୍ଡ ମାସିକ ୧୦୦୦ ଟଙ୍କା ଲେଖାଏ ଦିଆଯାଉଛି ଯାହା ଗୋଟେ ପରିବାର ପାଇଁ ସମୁଦ୍ରକୁ ଶଙ୍ଖେ ଭଳିଆ ।
ଏପରି ପରିସ୍ଥିତିରେ ବରଗଡ଼ ଜିଲ୍ଲାର ବାଉଁଶ କାରିଗର ଅଭାବ ଅନଟନରେ ଚାଲୁଥିବା ବେଳେ ଏବେ ଜୀବିକା ହରାଇବା ଉପରେ ରହିଛନ୍ତି । ଯଦି ସରକାର ସେମାନଙ୍କ ଦ୍ୱାରା ନିର୍ମିତ ଜିନିଷର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରନ୍ତେ ତାହେଲେ ଆଗକୁ ଏହି ଶିଳ୍ପ ବଞ୍ଚି ରହିବ, ନଚେତ ଦିନ ଆସିବ ଏଭଳି ବାଉଁଶ ଶିଳ୍ପ ସମ୍ପୂର୍ଣ ଲୋପ ପାଇଯିବ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ