ବରଗଡ: ଆରମ୍ଭ ହୋଇଛି ଭଗବାନ ନୃସିଂହ ଦେବଙ୍କ ଜନ୍ମମହୋତ୍ସବ । ଏହି ଉପଲକ୍ଷେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ବୈଶାଖୀ ମେଳା । ତେବେ ଏଥର ଲକଡାଉନ ଯୋଗୁଁ ଫିକା ପଡିଛି ମେଳା ।
ଚଳିତ ବର୍ଷ ମେ ମାସର ୨ ତାରିଖରୁ କେବଳ ପୂଜା ରୀତିନୀତି ମଧ୍ୟରେ ଆରମ୍ଭ ହୋଇଯାଇଛି ବୈଶାଖ ମେଳା । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଜନ୍ମମହୋତ୍ସବ ପାଳନ ହୋଇଥାଏ । ମାତ୍ର ଚଳିତ ବର୍ଷ ଲକଡାଉନ କାରଣରୁ ଭକ୍ତଙ୍କ ଆଗମନକୁ ବାରଣ କରିଛି ମନ୍ଦିର ପ୍ରଶାସନ ।
ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କୁ ପାଇଥିବା ଯମୁନା କନ୍ଧୁଣୀ ବଂଶଧର କନ୍ଧ ସମାଜ ଦ୍ଵାରା ମହାପ୍ରଭୁଙ୍କ ଜନ୍ମ ମହୋତ୍ସବରେ ଭୋଗ ଲଗାଯାଇଥାଏ । ବୁଧବାର ଗନ୍ଧମାର୍ଦ୍ଧନ ପର୍ବତରୁ ସଂଗୃହୀତ ପିତ କନ୍ଧା ଭୋଗ ଖଣ୍ଡିଝରନ ଗ୍ରାମର ଗୌନ୍ତିଆ ଶଙ୍କର ଭୁଏଙ୍କ ଦ୍ଵାରା ଲାଗି କରାଯିବ । ରାତିରେ ମହାଦୀପ ଉଠିବା ସହ ଝଣ୍ଡା ବା ନେତବନ୍ଧା ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।
ପ୍ରସିଦ୍ଧ ତୀର୍ଥକ୍ଷେତ୍ର ତଥା ପଶ୍ଚିମ ଓଡିଶାର ଗଙ୍ଗା କୁହାଯାଉଥିବା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ମାର୍ଜର କେଶରୀଙ୍କ ଜନ୍ମମହୋତ୍ସବ ପ୍ରତିବର୍ଷ ଧୁମଧାମରେ ପାଳିତ ହୋଇଥାଏ । ଗନ୍ଧମାର୍ଦନ ପାହାଡ ତଳେ ଭଗବାନ ନୃସିଂହ ଦେବ ପୂଜାପାଉଥିବାବେଳେ ତାଙ୍କର ଜନ୍ମଦିନରେ ବୈଶାଖ ମେଳାର ଆୟୋଜନ କରାଯାଇଥାଏ । ପ୍ରତିବର୍ଷ ମହାପ୍ରଭୁଙ୍କ ଏହି ଜନ୍ମ ମହୋତ୍ସବ ବା ବୈଶାଖ ମେଳାରେ ପଶ୍ଚିମ ଓଡିଶା ତଥା ଛତିଶଗଡ, ମଧ୍ୟପ୍ରଦେଶ ରାଜ୍ୟରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥାଏ । ହେଲେ ଏଥର ଲକଡାଉନ ଏହି ମେଳାକୁ ଫିକା କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ