ବରଗଡ: ସମାନ କାମକୁ ସମାନ ଦରମା ଦାବିରେ ବରଗଡ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ଏଏନଏମ ସ୍ବାସ୍ଥ୍ୟ କର୍ମୀ | ସାତ ବର୍ଷ ହେଲା କାମ କଲାପରେ ମଧ୍ୟ ନାଁ ସ୍ଥାୟୀ ହୋଇଛି ସ୍ବାସ୍ଥ୍ୟ କର୍ମୀଙ୍କ ଚାକିରି ନାଁ ସେମାନଙ୍କର ଦରମା ବଢିଛି | ଅନ୍ୟପଟେ ସ୍ଥାୟୀ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଆଗୁଆ ଚାରି ମାସର ଦରମା ମିଳିଥିବା ବେଳେ ଅସ୍ଥାୟୀ ଥିବା ଏବଂ କମ ଦରମା ପାଉଥିବା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ କୌଣସି ସୁବିଧା ଦିଆଯାଉନଥିବା ଅଭିଯୋଗ ନେଇ ଦାବି ପତ୍ର ପ୍ରଦାନ କରିଛନ୍ତି ବହୁ ଅସ୍ଥାୟୀ ସ୍ବାସ୍ଥ୍ୟ କର୍ମୀ |
ରାଜ୍ୟ ସରକାରଙ୍କ ତେଲିଆ ମୁଣ୍ଡରେ ତେଲ ପରି ନୀତି ଉପରେ ନାରାଜ ହୋଇଛନ୍ତି ଅସ୍ଥାୟୀ କର୍ମଚାରୀ | ବର୍ତ୍ତମାନ କରୋନା ମହାମାରୀରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ମାନେ କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ଭାବରେ ଲଢେଇ କରୁଥିବା ବେଳେ ଏହି ଯୁଦ୍ଧରେ ସମସ୍ତଙ୍କର ସମାନ ଯୋଗଦାନ ରହୁଛି । ହେଲେ ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତି ଯୋଗୁଁ ଅସନ୍ତୋଷ ଦେଖାଦେଲାଣି ।
କମ ଦରମା ପାଉଥିବା କର୍ମଚାରୀଙ୍କୁ ଆଗୁଆ ଦରମା ନଦେଇ ମୋଟା ଅଙ୍କର ଦରମା ପାଉଥିବା କର୍ମଚାରୀଙ୍କୁ ଆଗୁଆ ଚାରି ମାସର ଦରମା ଦେବା ବର୍ତମାନ ସମୟରେ କର୍ମଚାରୀ ମାନେ ନିଜର ଆଶାନ୍ତିକୁ ଜାହିର କରୁଥିବା ବେଳେ ଆଗାମି ଦିନରେ ଏହା ଆନ୍ଦୋଳନ ରୂପ ମଧ୍ୟ ନେଇପାରେ | ତେବେ ସରକାର ସମସ୍ତ କରୋନା ଯୋଦ୍ଧାଙ୍କୁ ସମାନ ଦୃଷ୍ଟିରେ ଦେଖିବା ନିହାତି ଆବଶ୍ୟକ ବୋଲି ଦାବି କରିଛନ୍ତି ସ୍ବାସ୍ଥ୍ୟକର୍ମୀ |
ବଡଗଡରୁ ରାଜେଶ ସରାପ, ଇଟିଭି ଭାରତ