ବରଗଡ: ବରଗଡ ଜିଲ୍ଲାରେ କ୍ୟାନ୍ସର ହସ୍ପପିଟାଲ ସ୍ଥାପନ ଦାବିକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି । ବରଗଡ଼ ଗାନ୍ଧୀ ଛକରେ ଗତ 3 ଦିନ ହେଲା କୋଶଳ ସେନା ପକ୍ଷରୁ ଆମରଣ ଅନସନ ଜାରି ରହିଥିବାବେଳେ ଗୁରୁବାର ୟୁନାଇଟେଡ ଫୋରମ ଫର୍ କ୍ୟାନସର ହସ୍ପପିଟାଲ ଇନ ବରଗଡ ପକ୍ଷରୁ ଚେତାବନୀ ଶୋଭାଯାତ୍ରା ହୋଇଯାଇଛି ।
ୟୁନାଇଟେଡ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇ 21 ଦିନର ସମୟ ସୀମା ଦିଆଯାଇଛି | 21 ଦିନ ମଧ୍ୟରେ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କାମ ଆରମ୍ଭ ନହେଲେ ବରଗଡର ସମସ୍ତ ସରକାରୀ ଅଫିସରେ ତାଲା ପକାଇ ସରକାରଙ୍କୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ୟୁନାଇଟେଡ ଫୋରମର ଡାକରାରେ ଗୁରୁବାର ବହୁ ସଂଗଠନ ଏକତ୍ରିତ ହୋଇ ବିରାଟ ଚେତାବନୀ ରାଲି କରାଯାଇଥିଲା । ବରଗଡ ସହର ତଥା ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରୁ ମଧ୍ୟ ବହୁ ସଂଗଠନ ଏହି ରାଲିରେ ଯୋଗଦାନ କରିବା ସହିତ କଂଗ୍ରେସ, ବିଜେପି , ଆମ ଆଦମି ପାର୍ଟି ଏପରି ବହୁ ରାଜନୈତିକ ଦଳ ଗୁଡିକ ମଧ୍ୟ ଯୋଗଦାନ କରି ରାଲିରେ ସାମିଲ ହୋଇଥିଲେ । ତେବେ ରାଜ୍ୟ ସରକାର ବରଗଡ ବାସୀଙ୍କ ଦାବିକୁ କେତେ ଗୁରୁତ୍ଵ ଦେଉଛନ୍ତି ତାହା ଦିଆଯାଇଥିବା 21 ଦିନର ସମୟ ସୀମା ପରେ ଜଣାପଡିଯିବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ