ବରଗଡ: ଦୁର୍ଘଟଣାର ଶିକାର ହେବା ପରେ ଜଙ୍ଗଲକୁ ଫେରିନପାରି ରାସ୍ତାକୁ ଆସିଲା ସମ୍ବର । ହେଲେ ଆହତ ସମ୍ବରକୁ ଚିକିତ୍ସା ପରିବର୍ତ୍ତେ ଜଗିରହିଲା ବନବିଭାଗ । ଏଭଳି ଏକ ଅଭିଯୋଗ ଆସିଛି ବରଗଡ ଜିଲ୍ଲାରୁ । ଦିନ ସାରା ଏହି ସମ୍ବରଟିକୁ ଆହତ ହୋଇ ପଡିଥିବା ଦେଖିଥିଲେ ମଧ୍ୟ ଜଙ୍ଗଲ ବିଭାଗ ଚିକିତ୍ସା ବ୍ୟବସ୍ଥା ନ କରାଇ ବନ କର୍ମଚାରୀ ଜଗିରହିଥିବା ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନାଅନୁସାରେ, ଶୁକ୍ରବାର ପାଇକମାଳ ସ୍ଥିତ BSNL ଅଫିସ ନିକଟରେ ଏକ ସମ୍ବରକୁ ଆହତ ଅବସ୍ଥାରେ ପଡିଥିବାର ଲୋକେ ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳକୁ ପହଞ୍ଚିଥିଲେ କିନ୍ତୁ ଆହତ ସମ୍ବରଟିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା କରାଇନଥିଲେ । ପାଖ ପାଇକମାଳରେ ପଶୁ ଡାକ୍ତରଖାନା ରହିଥିଲେ ମଧ୍ୟ କୌଣସି ପଶୁ ଚିକିତ୍ସକ ଆସିନଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ପଶୁପ୍ରେମୀ ବନ ବିଭାଗର ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ।
ଇଟିଭି ଭାରତ, ବରଗଡ