ବରଗଡ: କୋଭିଡ କଟକଣା ଯୋଗୁଁ ଦୀର୍ଘ 2 ବର୍ଷ ଧରି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ ଠାରୁ ପୁଣି ଥରେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ନିଷ୍ପତ୍ତି ଅନୁସାରେ ଆସନ୍ତା ଡିସେମ୍ବର 27 ତାରିଖ 2022 ରୁ ଜାନୁୟାରୀ 6 ତାରିଖ 2023 ପର୍ଯ୍ୟନ୍ତ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ଦେଶ ସ୍ୱାଧୀନ ହେବା ପରଠାରୁ ଠାରୁ ବରଗଡରେ ଧନୁଯାତ୍ରା ମାଧ୍ୟମରେ ସ୍ୱାଧୀନତା ଉତ୍ସବ ପାଳନ କରିଆସୁଛନ୍ତି । ତେବେ ଆଜି ସାରା ଦେଶରେ ଦେଶ ସ୍ୱାଧୀନତାର 75 ବର୍ଷ ପୁର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବାରୁ ଚଳିତ ବର୍ଷ ମଧ୍ୟ ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପ୍ଲାଟିନମ ଜୁବଲୀ ପାଳନ କରିବ । ଅନ୍ୟ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷର ଧନୁଯାତ୍ରା ଆହୁରି ଅଧିକ ସରସ ସୁନ୍ଦର ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ବୈଠକରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀଙ୍କ ସହିତ ଧନୁଯାତ୍ରା କମିଟିର ସମସ୍ତ ବିଭାଗୀୟ ଅଧିକାରୀ ସଦସ୍ୟ ମାନେ ଉପସ୍ଥିତ ଥିଲେ । କରୋନା ମହାମାରୀରେ ଅନେକ କଳାକାରଙ୍କ ମୃତ୍ୟୁବରଣ ହୋଇଥିବାରୁ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସମସ୍ତ ବିଭାଗର ସଦସ୍ୟ ମାନେ ନିଜ ନିଜର ମତାମତ ରଖିଥିଲେ ।
ଇଟିଭି ଭାରତ, ବରଗଡ