ବରଗଡ: କୋରୋନା ମହାମାରୀରେ ରୋଜଗାର ହରାଇଛନ୍ତି ଅନେକ ଲୋକ । ଏପରିକି ଅନେକ ଲୋକ ନିଜ ପରିବାରକୁ ଦୁଇଓଳି ଖାଇବା ଯୋଗାଇବାରେ ବହୁ କଷ୍ଟର ସାମ୍ନା କରୁଛନ୍ତି । ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲାର ଘରୋଇ ସ୍କୁଲ ଗୁଡ଼ିକ ଅଭିଭାବକଙ୍କ ଠାରୁ ସ୍କୁଲ ଫି ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଶୁକ୍ରବାର ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
କୋରୋନା ମହାମାରୀ ଯୋଗୁଁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ବର୍ତ୍ତମାନ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ହେଲେ ବରଗଡ଼ ସହରରେ ରହିଥିବା ବହୁ ଘରୋଇ ସ୍କୁଲ ଗୁଡିକ ଅଭିଭାବକଙ୍କ ଠାରୁ ସ୍କୁଲ ଫି ଆଦାୟ କରୁଥିବା ଅଭିଯୋଗ ହୋଇଛି ।
କାମଧନ୍ଦା ଠପ ହୋଇଥିବା ବେଳେ ବହୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ନିଜ ପରିବାରର ପ୍ରତିପୋଷଣ ପାଇଁ ଏବେ ଲୋକଙ୍କୁ ଚିନ୍ତା ଘାରିଥିବା ବେଳେ ଘରୋଇ ସ୍କୁଲ କ୍ଷତିରେ ଯାଉଥିବା ଦର୍ଶାଇ ସ୍କୁଲ ଫି ପାଇଁ ଅଭିଭାବକ ମାନଙ୍କୁ ଚାପ ପକାଯାଉଥିବା ଜଣାପଡ଼ିଛି । ଯାହାକୁ ନେଇ ବରଗଡ଼ ଆମ ଆଦମୀ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ଓ ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ