ବରଗଡ: ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ବ୍ୟାଙ୍କର ଅବହେଳାରୁ ଯଥାଶୀଘ୍ର ଉଠା ଯାଇପାରୁନି ଟଙ୍କା । ଯାହାଫଳରେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବମ୍ବ୍ରିତ ଗ୍ରାମର କିଡନୀ ରୋଗୀ ସଞ୍ଚିତା ମହାନନ୍ଦ । ତାଙ୍କର ଗୋଟିଏ କିଡନୀ ନଥିବାବେଳେ ଅନ୍ୟ କିଡନୀ ଜନିତ ରୋଗରୁ ସେ ଏବେ ଗୁରୁତର ହୋଇପଡିଛନ୍ତି ।

ଆଉ ସଞ୍ଚିତାଙ୍କ ପରିବାର ଗୁହାରି କରିବାରୁ ସହାୟତା ପାଇଁ ବରଗଡ ଜିଲ୍ଲାପାଳ 7 ହଜାର ଟଙ୍କାର ଆକ୍ସିସ ବ୍ୟାଙ୍କର ଚେକ ଦେଇଛନ୍ତି । ମାତ୍ର ଚେକ ମାଧ୍ୟମରେ ଚିକିତ୍ସା ପାଇ ଦିଆଯାଇଥିବା ସହାୟତା ଅର୍ଥରାଶିକୁ ପାଇବା ପାଇଁ 14 ଦିନ ଲାଗୁଛି । ରୋଗୀ ଏବେ ଚେକ ଧରିବସିଛି ଏବଂ ଆକାଉଣ୍ଟରେ କେବେ ପଇସା ପଡିବ ଆଉ କେବେ ସେ ଚିକିତ୍ସିତ ହେବ ସେନେଇ ଦିନ ଗଣୁଛି |
ସଞ୍ଚିତା ଏବେ କଟକକୁ ଚିକିତ୍ସା ପାଇଁ ଯିବାକୁ ପ୍ରସ୍ତୁତ ହୋଇଯାଇଥିଲେ ବି ବିଡମ୍ବନାର ବିଷୟ ଏହା ଯେ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଲଖମରା ବ୍ରାଞ୍ଚରେ ଥିବା ତାଙ୍କର ଆକାଉଣ୍ଟରେ ଆକ୍ସିସ ବ୍ୟାଙ୍କର ଚେକଟିକୁ ଡିପୋଜିଟ କରିଥିଲେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ୧୪ ଦିନ ପରେ ଯାଇ ଆକାଉଣ୍ଟକୁ ପଇସା ଆସିବ ବୋଲି କହିଛନ୍ତି । ଯେତେ ଗୁହାରି କଲେ ମଧ୍ୟ ବ୍ୟାଙ୍କ ମେନେଜର ବୁଝିବାକୁ ନାରାଜ | ତେବେ ସଞ୍ଚିତା ଏବେ ସରକାରୀ ସହାୟତା ପାଇ ମଧ୍ୟ ବିନାପଇସାରେ ଚିକିତ୍ସା ପାଇଁ ଯାଇ ନପାରି ଭଗବାନ ଭରସାରେ ଘରେ ବସିଛି । କେବେ ପଇସା ଆକାଉଣ୍ଟରେ ପଡିବ ଆଉ କେବେ ସେ ଚିକିତ୍ସା ପାଇଁ ଯିବ ଆଜି ଦିନ ଗଣୁଛି ସଞ୍ଚିତା ।
ଆଜିର ଆଧୁନିକ ଡିଜିଟାଲ ଯୁଗରେ ବ୍ୟାଙ୍କ ଗୁଡିକରେ ଅର୍ଥ ସ୍ଥାନାନ୍ତରଣ ଓ ଅର୍ଥ କାରବାର ପ୍ରକ୍ରିୟା ଅତିଶୀଘ୍ର ଓ ସରଳ ହୋଇଥିବା ବେଳେ କିନ୍ତୁ ବରଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ବ୍ୟାଙ୍କ ମାନଙ୍କରେ ଆଜି ମଧ୍ୟ ସେହି ପୁରୁଣା ସିଷ୍ଟମ ଜାରି ରହିଛି । ଯାହାଫଳରେ ଗ୍ରାମାଞ୍ଚଳର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |
ବରଗଡରୁ ରାଜେସ ସରାପ, ଇଟିଭି ଭାରତ