ବରଗଡ: ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀଜନିତ ଲଗାଣ ବର୍ଷା ଚାଲିଥିବାବେଳେ ବରଗଡ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବରଗଡ 3 ନଂ ୱାର୍ଡ କଟକିଆ ପଡାର ପ୍ରଭୂଦ୍ଦ ବିଶ୍ବାଳ(53) ହଠାତ୍ ବର୍ଷା ହେବାରୁ ନିଜର ଆଜବେଷ୍ଟସ ଘରର ଛାତରେ ଶୁଖୁଥିବା କପଡା ଆଣିବାକୁ ଯାଇଥିଲେ । ହେଲେ ସେହି ସ୍ଥାନ ଦେଇ ଯାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଓଦା କପଡା ଲାଗିଯିବାର ବିଦ୍ୟୁତ ଆଘାତରେ ପ୍ରଭୂଦ୍ଦଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ ବିଦ୍ୟୁତ ସଂସ୍ପର୍ଶରେ ଆସିବା ସମୟରେ ପ୍ରଭୂଦ୍ଦଙ୍କ ଚିତ୍କାର ଶୁଣି ଘରେ ଏକା ଥିବା ତାଙ୍କ ସ୍ତ୍ରୀ ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ହେଲେ ପ୍ରଭୂଦ୍ଦଙ୍କୁ ବିଦ୍ୟୁତ ତାରରୁ ଅଲଗା କରି ଉଦ୍ଧାର କରିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଜଣା ପଡିବା ପରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ