ବରଗଡ: ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ବରଗଡ । ପୌରାଣିକ କଥାବସ୍ତୁ ନେଇ ଦୁଲୁକୁଛି ମୁକ୍ତ ରଙ୍ଗମଞ୍ଚ । ଶ୍ରୀକୃଷ୍ଣଙ୍କ ବାଲ୍ୟଲିଳାଖେଳାରେ ଅମ୍ବାପାଲି ପାଲଟିଛି ଗୋପପୁର । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଥିବା ବରଗଡ ଧନୁଯାତ୍ରାର ପଞ୍ଚମ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଚାଲିଛି ବାଲ୍ୟ ଲୀଳାଖେଳା । କଂସଙ୍କ ଦ୍ଵାରା ଗୋପପୁରକୁ ପଠାଯାଇଥିବା ସମସ୍ତ ରାକ୍ଷସ ମାନଙ୍କୁ କୃଷ୍ଣ ବଳରାମ ବଦ୍ଧ କରି ଥିବାବେଳେ ଶନିବାର ପ୍ରଭୁଙ୍କ ଦ୍ବାରା ଯାମଳାର୍ଜ୍ଜୁନ ଭଞ୍ଜନ, କଳୀୟ ଦଳନ ହୋଇଥିଲା ।
ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ ଲହୁଣୀ ଚୋରି କରୁଥିବାବେଳେ ମାଆ ଯଶୋଦାଙ୍କ ହାତରେ ଧରାପଡି ଦଉଡିରେ ବାନ୍ଧା ହୋଇଥିବା ବେଳେ ନଟଖଟିଆ କାହ୍ନା ଯାମଳାର୍ଜ୍ଜୁ0ନ ଭଞ୍ଜନ କରି ଶାପଗ୍ରସ୍ତ ଦୁଇଭାଇଙ୍କୁ ଉଦ୍ଧାର କରିଥିବା ନାଟକ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି ।
ଏପଟେ ମହାରାଜ କଂସ ଦିଗବିଜୟରେ ବାହାରି ମଗଧ ରାଜ୍ୟ ଉପରେ ଆକ୍ରମଣ କରିଥିବା ବେଳେ ମଗଧ ରାଜା ଜରାସନ୍ଧକୁ ପରାସ୍ତ କରି ତାଙ୍କର ଦୁଇ ଝିଅ ହେତି ଓ ପ୍ରହେତିଙ୍କୁ ବିବାହ କରିଛନ୍ତି । ଠିକ୍ ଏତିକି ବେଳେ କାଳିୟ ନାଗର ଦର୍ପଦଳନ ଖବର ଆସିଛି ଗୋପପୁରରୁ । ଏଥିରେ ବ୍ୟଥିତ ନହୋଇ କଳେବଳେ କୌଶଳେ କେମିତି କୃଷ୍ଣ ବଳରାମଙ୍କୁ ହତ୍ୟା କରିବେ ସେ ନେଇ ଷଡଯନ୍ତ୍ର କରିବା ସହ ରଙ୍ଗସଭାର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜ କଂସ ।
୧୧ ଦିନ ଧରି ମହାଆଡ଼ମ୍ବର ସହକାରେ ପାଳିତ ହେବାକୁ ଥିବାବେଳେ ରବିବାର ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରାରେ ରଙ୍ଗସଭା ଆୟୋଜନ କରି କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଯୋଜନା କରାଯିବ । ଯାହାକୁ ନେଇ ବରଗଡବାସୀ ବେଶ ଉତ୍ସାହିତ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ