ବରଗଡ଼: ହସ୍ତତନ୍ତର କେନ୍ଦ୍ରସ୍ଥଳୀ ବରଗଡ଼ରେ ଅନୁଷ୍ଠିତ ହେବା ଜାତୀୟ ହସ୍ତତନ୍ତ ସମ୍ମିଳନୀ । ଆସନ୍ତା ଜାନୁଆରୀ ୪ ଓ ୫ ତାରିଖରେ ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସଂସ୍କୃତି ଏବଂ ମହାନ ପରମ୍ପରାର ଏକ ମିଳନ କୁହାଯାଉଥିବା ବରଗଡ଼ର ଏହି ହସ୍ତତନ୍ତ ସମ୍ମିଳନୀରେ ସାରା ଭାରତରୁ ହସ୍ତତନ୍ତ କ୍ଷେତ୍ରର ପ୍ରାୟ ୧୦୦୦ ରୁ ଅଧିକ ଅଂଶୀଦାର ଯୋଗଦେବେ । ଏହା ସହିତ ଦୈନିକ 10 ହଜାରରୁ ଅଧିକ ଦର୍ଶକ ଆସିବାର ଅନୁମାନ କରାଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ଜାରିରହିଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏକ ସାମ୍ବାଦିକ ସମ୍ବିଳନୀରେ ଏନେଇ ସୂଚନା ଦେଇଛନ୍ତି ।
ଓଡିଶା ସରକାରଙ୍କ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ବରଗଡ ଜିଲ୍ଲା ପ୍ରଶାସନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜାତୀୟ ଶିଖର ସମ୍ମିଳନୀ ବୋଲି ଅଭିହିତ କରି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଓଡିଶାର ହସ୍ତତନ୍ତ ପୁରସ୍କାର ବିଜେତାଙ୍କୁ ସମ୍ବଦ୍ଧିତ କରାଯିବା ସହ ଏଥିରେ ପୂର୍ବ, ଉତ୍ତର-ପୂର୍ବ, ପଶ୍ଚିମ, କେନ୍ଦ୍ରୀୟ, ଦକ୍ଷିଣ ଏବଂ ଉତ୍ତର ଭାରତର ୨୦ଟି ରାଜ୍ୟରୁ ୫୦ ରୁ ଅଧିକ ପ୍ରଦର୍ଶକଙ୍କୁ ସାମିଲ କରାଯିବ । ଏହି ନିଜର ଚମତ୍କାର ବୁଣା ଓ ଜୀବନ୍ତ ରଙ୍ଗ ପାଇ ପ୍ରସିଦ୍ଧ ବରଗଡର ବିଶ୍ୱସ୍ତରୀୟ ପ୍ରସିଦ୍ଧ 'ବାନ୍ଧକଳା' (ଟାଇ ଆଣ୍ଡ ଡାଇ) କୃତି ସବୁଠାରୁ ଆକଷକଣୀୟ ରହିବ । ବରଗଡର ଐତିହାସିକ 'ବାନ୍ଧକଳା' କୃତି ଉପରେ ବିଶେଷ ଆଲୋକପାତ କରାଯିବ ଓ ଆନ୍ତର୍ଜାତୀୟ ପ୍ରସିଦ୍ଧିକୁ ପ୍ରଦର୍ଶନ କରାଯିବ । ପିଢୀ ପିଢୀ ଧରି ଚାଲିଆସୁଥିବା ଏହି ନିଆରା ଟାଇ ଆଣ୍ଡ ଡାଇ କୌଶଳ ବରଗଡକୁ ବିଶ୍ଵ ହସ୍ତତନ୍ତ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦେଇଛି ।
ଏହା ମଧ୍ୟ ପଢ଼ନ୍ତୁ......ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା, ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା
ତେବେ ଶିଖର ସମ୍ମିଳନୀ କେବଳ ପ୍ରଦର୍ଶନୀ ପାଇଁ ଏକ ପ୍ଲାଟଫର୍ମ ନୁହେ ବରଂ ସୁଜୋଗ ପାଇଁ ଏକ ବଜାର ଅଟେ । ଏହି ପ୍ଲାଟଫର୍ମ ଭୌଗୋଳିକ ସୀମା ଅତିକ୍ରମ କରୁଥିବା ଆଦାନ ପ୍ରଦାନକୁ ସକ୍ଷମ କରିବ ଯାହା ଦ୍ଵାରା ହସ୍ତତନ୍ତ ଶିଳ୍ପର ଅଭିବୃଦ୍ଧି ପାଇଁ ବୁଝାମଣା ପାତ୍ର ସାକ୍ଷରିତ ହୋଇପାରିବ । ଶିଳ୍ପ ଜଗତର ପ୍ରତିଯୋଗୀ ମାନଙ୍କୁ ନେଇ ବାନ୍ଧକଳା ଓ ଅନ୍ୟାନ୍ୟ ହସ୍ତତନ୍ତ କୌଶଳର ସୂକ୍ଷ୍ମତା ଉପରେ ସାରଗର୍ଭକ ପ୍ୟାନେଲ ଆଲୋଚନା ହେବ । ଏହି ବିଚାର ବିନିମୟ ଶିଳ୍ପରେ ଉଦ୍ଭାବନ ଏବଂ ସ୍ଥାୟୀ କାର୍ଯ୍ୟ ପଦ୍ଧତିକୁ ପ୍ରୋତ୍ସାହିତ କରିବ । ଏହି ହସ୍ତତନ୍ତ ଶିଖର ସମ୍ମିଳନୀ ୪ ଇ ମଡେଲ ଉପରେ ଆଧାରିତ । ସେଗୁଡ଼ିକ ହେଉଛି ଏନଗେଜ୍, ଏଜୁକେଟ୍, ଏନାବୁଲଡ ଏଣ୍ଡ ଏମ୍ପାୱାର । ଏହି ସାମ୍ବାଦିକ ସମ୍ମିଳନୀରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ, ବରଗଡ ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ବରଗଡ଼