ବରଗଡ: ଦଶମ ତଥା ଅନ୍ତିମ ଦିନରେ ପହଞ୍ଚିଛି ବରଗଡ ଧନୁଯାତ୍ରା । ଏନେଇ ଶେଷ ଦିନରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ଏନେଇ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଖେଳିଛି ଆନନ୍ଦ ଓ ଉତ୍ସାହ । ମଥୁରାରେ ପ୍ରଭୁଙ୍କ ଭବ୍ୟ ସ୍ବାଗତ ସହ ଲାଗି ରହିଛି ହରି ଧ୍ବନୀ, ହୁଳହୁଳି ଓ ପୂଜାର୍ଚ୍ଚାନ। ଶୁକ୍ରବାର ଦଶମ ଦିନରେ ସୁଦାମାଙ୍କ ସହ ଭେଟ କରିବା ସହ ଅସୁନ୍ଦରୀ କୁବୁଜାକୁ ପ୍ରଭୁ ନିଜ ହାତରେ ସ୍ପର୍ଶ କରି ଉଦ୍ଧାର କରିଛନ୍ତି । ସେପଟେ କଂସ ମହାରାଜଙ୍କ ନଗର ଭ୍ରମଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।
ଅକ୍ରୁରଙ୍କ ସହିତ ମଥୁରାରେ କୃଷ୍ଣ, ବଳରାମ ଦୁଇ ଭାଇ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ବାଗତ କରିବା ସହ ଆନନ୍ଦ ଉଲ୍ଲାସରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିରରେ ଥିବା ମଧୁବନ ତୋଟାରୁ ବାଙ୍କବିହାରୀ ଆରମ୍ଭ କରିଥିଲେ ମଥୁରା ଭ୍ରମଣ । ବାଟରେ ନୈବେଦ୍ୟ, ଫୁଲ, ଦୀପ ଓ ଚନ୍ଦନ ଇତ୍ୟାଦିରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣ ବଳରାମଙ୍କୁ ସ୍ବାଗତ କରିଥିଲେ । ଏଥିସହ କଂସର ଆତଙ୍କରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।
ଏହି କ୍ରମରେ ରାଜକୀୟ ରଜକଙ୍କୁ କୃଷ୍ଣ ଲୁଗା ମାଗିବାରୁ ସେ ଦେଇନଥିଲା। ତାକୁ ହତ୍ୟା କରି ରାଜକୀୟ ପୋଷାକ ସବୁ ନେଇ ଗୋପାଳ ବାଳକଙ୍କୁ ବାଣ୍ଟି ଦେଇଥିଲେ ପ୍ରଭୁ । ଏହାପରେ ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । କଂସ ମହାରାଜଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମାଳକୁ ସୁଦାମାମାଳି ଶ୍ରୀକୃଷ୍ଣଙ୍କୁ ପିନ୍ଧାଇ ଦେଇଥିଲେ ଏହାପରେ କୃଷ୍ଣଙ୍କ ନାମ ହୋଇଥିଲା ବନମାଳି ।
ଏହାପରେ ପ୍ରଭୁଙ୍କ ପଛେ ପଛେ ମଥୁରାର ଆବାଳ ବୃଦ୍ଧ ବନିତା ବାହାରି ନଗର ଭ୍ରମଣ କରିଥିଲେ। ତା’ପରେ ନଟବର ପହଞ୍ଚି ଥିଲେ ସ୍ଥାନୀୟ ଶ୍ୟାମାକାଳୀ ମନ୍ଦିରରେ । ସେଠାରେ କୃଷ୍ଣପ୍ରେମୀ କୁବୁଜାଙ୍କ ସହ ଦେଖାହୋଇଥିଲା । ସେ ଭଗବାନଙ୍କୁ ପ୍ରାର୍ଥନା କରିବା ପରେ ଅସୁନ୍ଦରୀ କୁବୁଜାକୁ ପ୍ରଭୁ ସ୍ବୟଂ ହାତରେ ସ୍ପର୍ଶ କରି ଉଦ୍ଧାର କରିବା ସହ ଜଣେ ସୁନ୍ଦରୀ ନାରୀରେ ପରିଣତ କରିଥିଲେ।
ସେପଟେ ମହାରାଜା କଂସ ଧନୁଯାତ୍ରାର ଦଶମ ଦିନରେ ନଗର ଭ୍ରମଣ କରିବା ସହ ରଙ୍ଗ ମହଲରେ ନାଚ ଗୀତର ମଜା ଉଠାଇଥିଲେ । ମହାରାଜା କଂସ ରାଜଦରବାରକୁ ପହଞ୍ଚି ନ୍ୟାୟ ବିଚାର କରିଥିଲେ । ଏହାପରେ ମହାରାଜା କଂସ ରାତ୍ରି ନିଦ୍ରାରେ ଥିବା ବେଳେ ସ୍ବପ୍ନରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ହଠାତ୍ ନିଦରୁ ଉଠିପଡ଼ି ସେ ନିଜ ମନ୍ତ୍ରୀ ପରିଷଦକୁ ଏବିଷୟରେ ଜଣାଇଛନ୍ତି ।
ହେଲେ ମନ୍ତ୍ରୀ ଓ ସେନାପତି ମହାରାଜା କଂସଙ୍କୁ ଆଶ୍ବସ୍ତି କରିଛନ୍ତି । ଏବେ ଅପେକ୍ଷା ସେହି ମୁହୂର୍ତ୍ତକୁ, ଯେତେବେଳେ କଂସକୁ ବଦ୍ଧ କରିବେ ନନ୍ଦକୁମାର। ସେପଟେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତି ବଦ୍ଧ, ଚାଣୁର ଓ ମୁଷ୍ଟିକ ଆଦିଅଷ୍ଟମଲ୍ଲ ବଦ୍ଧ, ଶିବଧନୁ ଭଙ୍ଗା, କଂସ ବଦ୍ଧ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଓ ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦେଖିବେ ଲୋକେ । ଏଥିସହ କଂସ ମୃତ୍ୟୁରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ