ବାଲେଶ୍ବର: ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ କୁହାଯାଉଥିବା ବାବା ଭୂଷଣ୍ଡେଶ୍ବରରେ ଚାଲିଥିଲା ଚୈତ୍ର ଚଡକ ମେଳାର ଜୋରସୋର ପ୍ରସ୍ତୁତି । ଅପରପକ୍ଷରେ ମେଳାର ମାତ୍ର କିଛି ଦୂରରେ ଏକାଠି ହୋଇ ମଦ ବିରୋଧୀ ଆନ୍ଦୋଳନ ଚଳାଇଥିଲେ ଶତାଧିକ ମହିଳା । ଦୀର୍ଘ ଦିନ ଧରି ପ୍ରଶାସନର ଛତ୍ରଛାୟାରେ ଚାଲିଥିବା ବେଧଡକ ମଦ ବ୍ୟବସାୟକୁ ବିରୋଧ କରି ଏକଜୁଟ ହୋଇଥିଲେ ଜିଲ୍ଲାର ମହିଳା ।
ସହରରେ ଚାଲିଥିବା ଚୋରା ମଦ ବ୍ୟବସାୟକୁ ବିରୋଧ କରି ମହିଳାମାନେ ଚୋରା ମଦ ଦୋକାନକୁ ଭାଙ୍ଗିବା ସହ ଦୋକାନରୁ ଅନେକ ବିଦେଶୀ ମଦ ବୋତଲ ଜବତ କରିଥିଲେ । ତେବେ ଭୋଗରାଇ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ମୀନାରାଣୀ ସୁରଙ୍କ ନେତୃତ୍ବରେ ଶତାଧିକ ମହିଳା ଏକାଠି ହୋଇ ବିଦେଶୀ ମଦ ବୋତଲ ଭାଙ୍ଗିବା ସହ ରାସ୍ତାକଡରେ ନେଇ ନିଆଁ ଲଗାଇଥିଲେ ।
ଘଟଣାସ୍ଥଳରୁ ମଦ ବ୍ୟବସାୟୀ ଜଣଙ୍କ ଫେରାର ଥିବା ବେଳେ ଭୂଷଣ୍ଡେଶ୍ବର ପୀଠରେ ଯିଏ ଏପରି ନିଶା କାରବାର କରିବ ତାର ଅବସ୍ଥା ଏପରି ହେବ ବୋଲି ଚେତାବନୀ ଦେଇଛନ୍ତି ମୀନାରାଣୀ । ତେବେ ପ୍ରଶାସନର ଚରମ ଅବହେଳା ତଥା ଖାମଖିଆଲ ମନୋଭାବ ଯୋଗୁଁ ଭୋଗରାଇର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରରେ ଚେରା ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ କରିବା ସହ ନିନ୍ଦା କରିଛନ୍ତି ଆନ୍ଦୋଳନରତ ମହିଳାମାନେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ