ବାଲେଶ୍ଵର: ନବବଧୂଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ । ସିମୁଳିଆ ଥାନାରେ ଏହି ଅଭିଯୋଗ ହୋଇଛି । ତେବେ ସିମୁଳିଆ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରି ନବବଧୂର ବାପା ଓ ସମ୍ପର୍କୀୟ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।
ସୂଚନା ଅନୁସାରେ ଖଇରା ଥାନା ରାମଚନ୍ଦ୍ରପୁର ଗ୍ରାମର ଭାଗବତ ଲେଙ୍କାଙ୍କ ଏକମାତ୍ର ଝିଅକୁ 5 ମାସ ପୂର୍ବେ ସିମୁଳିଆ ଥାନା ଆନନ୍ଦପୁର ଗ୍ରାମର ଶଙ୍କର୍ଷଣ ଲେଙ୍କାଙ୍କ ପୁଅ ବିବାହ କରିଥିଲେ । ତେବେ ବିବାହ ପରେ ପୁଅ ଘର ଲୋକେ ଅଧିକ ଯୌତୁକ ଦାବି କରି ବୋହୂକୁ ନିର୍ଯାତନା ଦେଉଥିଲେ । ଗତ 7 ତାରିଖରେ ଝିଅକୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ବାପଘର ଲୋକେ ।
ସିମୁଳିଆ ପୋଲିସର କାର୍ଯ୍ୟାନୁଷ୍ଠାନରେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରି ଶୁକ୍ରବାର ଏସପିଙ୍କୁ ଭେଟି ଝିଅକୁ ମାରିଥିବା ଲୋକଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ । ଆଗାମୀ ଏକ ସପ୍ତାହ ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରିବାର ଲୋକଙ୍କୁ ଏସପି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି । ତେବେ ଏକମାତ୍ର ଝିଅକୁ ହରାଇଥିବା ବାପା ନ୍ୟାୟ ନମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ