ବାଲେଶ୍ବର: ଅନ୍ତଃବସ୍ତ୍ର ଚୋରିକୁ ନେଇ ମହାଭାରତ । ବାରମ୍ବାର ଅନ୍ତ୍ରଃବସ୍ତ୍ର ଚୋରି ହେବା ନେଇ ମହିଳାମାନେ ଚିନ୍ତିତ ଥିବାବେଳେ ଚୋର ଧରା ପଡିବା ପରେ ହୋଇଛି ଖଣ୍ଡଯୁଦ୍ଧ। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ମହାରୁଦ୍ରପୁର ଗ୍ରାମରେ ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ।
ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଧରାପଡ଼ିବା ପରେ ନିଜ ଦୋଷ ସ୍ବୀକାର କରିବା ପରିବର୍ତ୍ତେ ଅଭିଯୁକ୍ତର ପରିବାର ଗ୍ରାମର କିଛିଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଘଟଣା ଅନୁସାରେ, ମହାରୁଦ୍ରପୁର ଗ୍ରାମର ମହିଳା ଓ ଛାତ୍ରୀମାନଙ୍କ ଅନ୍ତ୍ରବସ୍ତ୍ର ଶୁଖାଇବା ବେଳେ ଚୋରି ହୋଇଯାଉଥିଲା । ପରେ ଚୋରି ହୋଇଥିବା ଅନ୍ତଃବସ୍ତ୍ର ଗୁଡ଼ିକ ବିଭିନ୍ନ ଗଛର ଡାଳ, ମନ୍ଦିର ବେଢ଼ା ଆଦିରେ ପଡ଼ିଥିବା ଦେଖିବାକୁ ମିଳୁଥିଲା । ଏହାକୁ ନେଇ ଗ୍ରାମର ମହିଳାମାନେ ଚିନ୍ତିତ ଥିବାବେଳେ ଜଣେ ଛୋଟପିଲା ଅନ୍ତଃତବସ୍ତ୍ର ଚୋରି କରୁଥିବା ସମୟରେ ମହିଳାଙ୍କ ହାତରେ ଧରାପଡ଼ିଥିଲା ।
ଛୋଟ ପିଲାଙ୍କୁ ଟଙ୍କା ଓ ଖାଇବାର ଲୋଭ ଦେଖାଇ ଉକ୍ତ ଗ୍ରାମର ଯୁବକ ବିଶ୍ବମିତ୍ର ମାଝି ଓରଫ ଚକା ଏସବୁ କାମ କରାଉଥିବା ମହିଳାମାନେ ଜାଣିବାକୁ ପାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାମାନେ ଉକ୍ତ ଯୁବକଙ୍କୁ ପଚାରିବା ପରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ମହିଳାମାନେ ଥାନାର ଦ୍ବାରସ୍ଥ ହୋଇଥିଲେ ।
ଥାନାରେ ଆପୋଷ ବୁଝାମଣା ପାଇଁ ଡକାଯାଇଥିଲା । ଏହାରି ଭିତରେ ଗତ ୨୫ ତାରିଖରେ ବିଶ୍ବମିତ୍ର ଓ ତାଙ୍କର ପରିବାର ଲୋକ ଗ୍ରାମର ମହିଳା ଓ ପୁରୁଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ମୁକ୍ତିକାନ୍ତ ମାଝୀ ଓ ତିଳୋତ୍ତମା ମାଝୀ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାରେ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇ ମହିଳା ଓ ପୁରୁଷମାନେ ଆଜି ବାଲେଶ୍ବର ଏସପିଙ୍କୁ ଭେଟିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ