ବାଲେଶ୍ୱର: ନିଯୁକ୍ତି ଦେବା ବାହାନାରେ ମହିଳାକୁ ଦୁଷ୍କର୍ମ ଅଭିଯୋଗ । ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ନିର୍ଧୁମ ମାଡ଼ ମାରିଥିବା ଜଣାପଡିଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ଜୟପୁର ଅଞ୍ଚଳର ରାଜମିସ୍ତ୍ରୀ ଭାବେ କାମ କରୁଥିବା ଝାମ୍ପ ନାମକ ବ୍ୟକ୍ତି ଖନ୍ତାପଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ କାମ ଦେବା ବାହାନାରେ ନେଇଥିଲେ । ମହିଳାଜଣକ କର୍ମନିଯୁକ୍ତି ପାଇଁ ଆସିବା ପରେ ଝାମ୍ପ ତାଙ୍କୁ ନିଶା ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମହିଳା ପରିବାର ପାଖରେ ଅଭିଯୋଗ କରିଥିଲେ। ମହିଳାଙ୍କୁ ତାଙ୍କ ବାପା ମାଆ ରହୁଥିବା ନୀଳଗିରି ଥାନା ଅଞ୍ଚଳରେ ଯୁବକ ଛାଡିବାକୁ ଆସିଥିବା ବେଳେ ମହିଳାଜଣଙ୍କ କାନ୍ଦି କାନ୍ଦି ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ସମସ୍ତେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକଜୁଟ ହୋଇ ଯୁବକଙ୍କୁ ଅଟକରଖି ନିର୍ଧୁମ ଛେଚିବା ସହ ନୀଳଗିରି ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜମିସ୍ତ୍ରୀଙ୍କୁ ଅଟକ ରଖିଛି । ତେବେ ଲୋକଙ୍କ ଆର୍ଥିକ ଦୁର୍ବଳତାର ଫାଇଦା ଉଠାଇ ରୋଜଗାର ଦେବା ବାହାନାରେ ଏମିତି କିଛି ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ଏମିତି ଘୃଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି।
ଏହା ମଧ୍ୟ ପଢନ୍ତୁ: FIH Pro League: ଆଜି ଭାରତ-ଅଷ୍ଟ୍ରେଲିଆ ଭେଟ, ଯୁବ ପ୍ଲେୟାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ
ଗତ କିଛିଦିନ ତଳେ ସୋର ଅଞ୍ଚଳରେ ନାବାଳିକାଙ୍କୁ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଥିଲା। ତେବେ ନୀଳଗିରି ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୋଗର ସତ୍ୟାସତ୍ୟ ଉପରେ ତଦନ୍ତ ଜାରି ରଖିଛି । ଲୋକମାନଙ୍କ ଆକ୍ରୋଶର ଶିକାର ହୋଇଥିବା ସମ୍ପୃକ୍ତ ରାଜମିସ୍ତ୍ରୀ ଓ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ।
ପ୍ରକାଶଥାଉକି, କଟକରୁ ଅନୁରୂପ ଏକ ଖବର ସାମ୍ନାକୁ ଆସିଥିଲା । ଜିମ୍ରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ମୃଦୁ ପାନୀୟରେ ନିଶା ପଦାର୍ଥ ମିଶାଇ ପିଇବାକୁ ଦେବା ପରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା ଜିମ୍ ମାଲିକ । ଏପରିକି ଦୁଷ୍କର୍ମ ସମୟର ଫଟୋ ଓ ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ବ୍ଲାକମେଲିଂ କରୁଥିଲା ଏବଂ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ବାଲେଶ୍ବର