ବାଲେଶ୍ବର: ସରକାରୀ ହେଉ କି ବେସରକାରୀ ଏବେ ସବୁ କ୍ଷେତ୍ରରେ ଆବଶ୍ୟକ ପଡୁଛି ଆଧାରକାର୍ଡ । ତେଣୁ ଏହି ଆଧାରକାର୍ଡ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ଥାନରେ ଖୋଲାଯାଇଛି ଆଧାର ସେବା କେନ୍ଦ୍ର । ମାତ୍ର ଏଠାରେ ସମସ୍ୟାର ସମାଧାନ ହୋଇପାରୁନଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ବାଲେଶ୍ଵର ପୌରପାଳିକା ଅଧୀନ ସୁନହଟ ରାଜାଉଲ୍ଲା ଲେନ ଅଞ୍ଚଳର ମଜକେରା ବିବି ଓ ତାଙ୍କ ଝିଅ ସେହନାଜ ଖାତୁନଙ୍କ ଆଧାର ନମ୍ବର ସମାନ ରହିଛି । ଉଭୟଙ୍କ ପୃଥକ ଆଧାରକାର୍ଡ ପ୍ରସ୍ତୁତ ହୋଇଥିବା ବେଳେ କାର୍ଡର ନମ୍ବର ସମାନ ରହିଛି । ଫଳରେ ସେହନାଜ କଲେଜରେ ନିଜ ଆଧାରକାର୍ଡ ଦେଲେ ଉକ୍ତ ନମ୍ବରରେ ତାଙ୍କ ମା'ଙ୍କ ନାମ ଆସୁଛି । ଏହି ସମସ୍ୟାକୁ ନେଇ ସେ ବିଭିନ୍ନ ଆଧାର ସେବାକେନ୍ଦ୍ରକୁ ଯାଇଥିଲେ ମଧ୍ୟ ସେଠାରେ କୌଣସି ସମାଧାନର ବାଟ ବାହାରିନଥିଲା । ହାଇଦ୍ରାବାଦ ଆଧାର ଅଫିସ କିମ୍ବା ଭୁବନେଶ୍ୱରର ଓକାକ କାର୍ଯ୍ୟାଳୟରେ ଏହାର ସମାଧାନ ହୋଇପାରିବ ବୋଲି ଆଧାର କେନ୍ଦ୍ରର କର୍ମଚାରୀ କହିଥିଲେ ।
ହେଲେ ବର୍ତ୍ତମାନ କୋରୋନା ପରିସ୍ଥିତି ଭିତରେ ଏସବୁ କରିବା ସମ୍ଭପର ନଥିବାରୁ ମା'-ଝିଅ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା କଥା କହିଥିଲେ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ