ବାଲେଶ୍ୱର: ଖୁଚୁରା ପଇସାକୁ ନେଇ 3 ଯୁବକଙ୍କୁ ଆଣ୍ଠେଇଲେ ପେଟ୍ରୋଲପମ୍ପ କର୍ମଚାରୀ । ସୋର ଥାନା ପାଇକାଳି ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଥିଲାଏଭଳି ଘଟଣା । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଖୁଚୁରା ପଇସାକୁ ନେଇ ଏଭଳି ଆଚରଣ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ, ଶନିବାର 3 ଜଣ ଯୁବକ 16ନଂ ଜାତୀୟ ରାଜପଥ ପାଇକାଳି ପେଟ୍ରୋଲ ଟାଙ୍କିରେ 95ଟଙ୍କାର ତେଲ ପକାଇ 100 ଟଙ୍କା ଦେଇଥିଲେ । ତେବେ ପେଟ୍ରୋଲ କର୍ମଚାରୀ 5ଟଙ୍କା ଫେରାଇବାରୁ ଯାଇ ଖୁଚୁରା ଦେଇଥିଲେ । ତେବେ ଉକ୍ତ ଯୁବକମାନେ ଏହା ବଜାରରେ ଚଳୁନଥିବା କହିବା ପରେ ଉଭୟଙ୍କ ପକ୍ଷରେ ବଚସା ସୃଷ୍ଟି ହୋଇଥିଲା । ଏହି ବଚସା ପରେ ମାରପିଟ ପର୍ଯ୍ୟନ୍ତ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକମାନଙ୍କୁ କାବୁ କରିବା ସହ କାନ ଧରି ଆଣ୍ଠେଇ ଥିଲେ ।
ଏ ଘଟଣା ପମ୍ପ ମାଲିକ ଅଭିଯୋଗ ଆଣିବା ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ