ବାଲେଶ୍ବର: ସୋର ଠାରେ ଥିବା ୟୁକୋ ବ୍ୟାଙ୍କକୁ ସିଲ କଲା ପୌର ପ୍ରଶାସନ । ଉକ୍ତ ବ୍ୟାଙ୍କର ଜଣେ କର୍ମଚାରୀ ଜିଲ୍ଲାର ପ୍ରଥମ କୋରୋନା ଆକ୍ରାନ୍ତଙ୍କ ଅଞ୍ଚଳକୁ ଯିବା ଆସିବା କରିବା ସହ ନିୟମିତ ଭାବେ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ଏନେଇ ଜଣାପଡିବା ପରେ ବ୍ୟାଙ୍କକୁ ସିଲ କରାଯାଇଛି ।
ମିଳିଥିବା ସୂଚନାନୁସାରେ, ବାଲେଶ୍ଵର ନିଳିଆବାଗ ଅଞ୍ଚଳରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସୋର ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ନିଳିଆବାଗର ପ୍ରଥମ କୋରୋନା ଆକ୍ରାନ୍ତଙ୍କ ଘରେ ଭଡା ନେଇ ରହୁଥିଲେ। କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଉକ୍ତ ବ୍ୟାଙ୍କ କର୍ମଚାରୀ ସୋରର ଏକ ଲଜରେ ଭଡ଼ା ନେଇ ରହିବା ସହ ବ୍ୟାଙ୍କରେ ନିୟମିତ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଆସିବା ପରେ ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ କରିଥିଲା । କଣ୍ଟାକ୍ଟ ଟ୍ରେସିଂରେ ବ୍ୟାଙ୍କ କର୍ମଚାରୀ ଜଣକ ଥିବା ଜାଣିବାକୁ ପାଇ ଉକ୍ତ ବ୍ୟାଙ୍କ ସିଲ କରାଯାଇଛି । ଏଥିସହ କର୍ମଚାରୀ ଜଣଙ୍କ ରହୁଥିବା ଲଜ ମଧ୍ୟ ସିଲ କରାଯାଇଛି ।
ବର୍ତ୍ତମାନ ଉକ୍ତ ବ୍ୟାଙ୍କର କର୍ମଚାରୀଙ୍କୁ କ୍ବାରେନଣ୍ଟାଇନରେ ରଖିବା ସହ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଥିବା ଜଣାପଡିଛି । ଏହାସହ ବ୍ୟାଙ୍କରେ କାର୍ଯ୍ୟରତ 11 ଜଣ କର୍ମଚାରୀଙ୍କୁ ମଧ୍ୟ କ୍ବାରେନଣ୍ଟାଇନରେ ରଖାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ