ବାଲେଶ୍ଵର : ବାଲେଶ୍ଵର ଭୋଇସାହିସ୍ଥିତ ସେଣ୍ଟ୍ରାଲ ସ୍କୁଲ ଛକ ନିକଟରେ ଥିବା ଏକ ଘରୋଇ କଲେଜ ହଷ୍ଟେଲର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ଛାତ୍ରୀଙ୍କ ବାପା, ମା' ଏହା ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଏନେଇ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ । ମୃତ ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ହୋଇଥିବାବେଳେ ସେ ଏଠାରେ ଯୁକ୍ତଦୁଇ ବିଜ୍ଞାନ ପଢୁଥିଲେ ।
ଗତ ରାତିରେ ଛାତ୍ରୀ ସାବିତ୍ରୀ ବେହେରା ରହୁଥିବା ରୁମର ଅନ୍ୟ ଛାତ୍ରୀଙ୍କ ଟଙ୍କା ଚୋରି ହୋଇଯାଇଥିଲା । ଏହାକୁ ନେଇ ଅନ୍ୟ ଛାତ୍ରୀ ଓ ହଷ୍ଟେଲ ୱାଡେନ ସାବିତ୍ରୀଙ୍କୁ ଦୋଷାରୋପ କରିବା ସହ ତାଗିଦ କରିଥିଲେ । ଏହାକୁ ନେଇ ସାବିତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି । ବିଳମ୍ବିତ ରାତିରେ ସାବିତ୍ରୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କଟକରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କଟକରୁ ତାଙ୍କ ମୃତଦେହ ଆଜି ସନ୍ଧ୍ୟାରେ ବାଲେଶ୍ଵର ଆସି ପହଞ୍ଚିଥିବାବେଳେ ଏହାକୁ ନେଇ କଲେଜ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ