ବାଲେଶ୍ବର: ଅପରାଧ ନିୟନ୍ତ୍ରଣ ପାଇଁ କେବଳ ଯେ ପୋଲିସର ଭୂମିକା ରହିଛି ତାହା ନୁହେଁ । ବରଂ ଅପରାଧ ଘଟାଇବା ପାଇଁ ସୁଯୋଗ ନଦେବା ଜିଲ୍ଲା ପ୍ରଶାସନର ଭୂମିକା ଢେର ଅଧିକ । ଠିକ ସେହିପରି ସାଧାରଣ ଲୋକଙ୍କ ଯାତାୟାତ ସୁରକ୍ଷିତ ତଥା ସୁବିଧା ଉପଯୋଗୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହାରି ଭିତରେ ଅନେକ ସ୍ଥାନରେ ଅନେକ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିଛି । ଯେମିତି ବାଲେଶ୍ଵର ସହରର, ବିକାଶ ହେଉଛି ସତ ମାତ୍ର ସବୁକିଛି ଆଖିଦୃଶିଆ ଭଳି ପରିଲକ୍ଷିତ ହେଉଛି । ବିକାଶର ଆଲୁଆରେ ଯୋଡ଼ିହୋଇ ମଧ୍ୟ ଆଜି ବି ଅନ୍ଧାରରେ ରହିଛି ।
ବାଲେଶ୍ଵରର ମୁଖଶାଳା କୁହାଯାଉଥିବା କୁରୁଡ଼ା ଠାରୁ ଆରମ୍ଭ କରି ସହର ମଧ୍ୟକୁ ଯାଇଥିବା ରାସ୍ତା 4 ଲେନ ରାସ୍ତାକୁ ଆହୁରି ପ୍ରଶସ୍ତିକରଣ କରାଯାଉଛି । ରାସ୍ତାରେ ଯାତାୟତର ସୁବିଧା ନିମନ୍ତେ କୁରୁଡ଼ା ଓଭର ବ୍ରିଜ ପାଖରୁ ଆରମ୍ଭ କରି ସହର ମଧ୍ୟ ପର୍ଯ୍ୟନ୍ତ ଉଜ୍ଵଳ ଆଲୋକ ବ୍ୟବସ୍ଥା କରାଯାଇଛି । ଯାହା ପଥଚାରୀଙ୍କ ଯିବା ଆସିବାରେ ଅନେକ ସହାୟକ ହେଉଥିଲା । ସାଇକେଲ ଚାଳକଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ସୁରକ୍ଷିତ ମଣୁଥିଲେ । ଉଜ୍ଵଳ ଆଲୋକ ବ୍ୟବସ୍ଥା ପାଇଁ ଅପରାଧୀମାନେ ଚୋରି, ଛିନତାଇ ଭଳି କାର୍ଯ୍ୟକଳାପ କରିବାରେ ବିଫଳ ହେଉଥିଲେ । ମାତ୍ର ଏବେ ଏହି ରାସ୍ତାରେ ଲାଗିଥିବା ଉଜ୍ଵଳ ଆଲୋକ ଖରାପ ହୋଇ ପଡିଛି । ଦୀର୍ଘଦିନ ଧରି ଉଜ୍ଵଳ ଆଲୋକ ଗୁଡିକ ଖରାପ ହୋଇ ପଡ଼ିଥିବା ବେଳେ ଏହାର ମରାମତି କରାଯାଉନାହିଁ ।
ଏମିତି କି କୁରୁଡ଼ାରୁ ତାମୂଳିଆ ପୋଲ ଶେଷ ଯାଏ ପୁରା ଅନ୍ଧାର କିଟିମିଟି ରହୁଛି । ଯେଉଁଥିପାଇଁ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ଏବେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ସେମିତି ରେମୁଣା ଗୋଲେଇ ଠାରୁ ସହଦେବଖୁଣ୍ଟା ଯାଏ ଖୁଣ୍ଟିରେ ତ ଉଜ୍ଵଳ ଆଲୋକ ଲାଗିଛି ମାତ୍ର ତାହା ଜଳୁନାହିଁ । ଯେଉଁ କେତୋଟି ଜଳୁଛି ତାହା ନ ଜଳିବା ସହ ସମାନ । ଠିକ ସେମିତି ତାମୂଳିଆ ପୋଲ ଠାରୁ କୁରୁଡ଼ା ଯାଏ ଲାଗିଥିବା ଉଜ୍ଵଳ ଆଲୋକର ବିଦ୍ୟୁତ ବିଲ ପଞ୍ଚାୟତକୁ ପୈଠ କରିବାକୁ ନିର୍ଦ୍ଦେଶ ଥିବାବେଳେ ବହୁ ଅଧିକ ବିଦ୍ୟୁତ ବିଲ ଆସିବା ଯୋଗୁଁ ତାହା ପୈଠ ହୋଇ ପାରୁନାହିଁ । ଫଳରେ ଏହି ରାସ୍ତା ମଧ୍ୟ ଏବେ ଅନ୍ଧାରରେ ରହୁଛି । ଏହିଭଳି ଭାବେ ସହରରେ କେଉଁଠି ଆଲୁଅ ତ କେଉଁଠି ଅନ୍ଧାର ।
ସବୁଠୁ ବଡ଼କଥା ହେଲା ତାମୂଳିଆ ଓଭର ବ୍ରିଜ ଉପରେ ଲାଗିଥିବା କୌଣସି ଲାଇଟ ରାତିରେ ଜଳୁ ନଥିବାବେଳେ ପୋଲର ଉଭୟ ପାର୍ଶ୍ଵରେ ଥିବା ପାଦଚଲା ରାସ୍ତା ଭାଙ୍ଗି ରୁଜି ଯାଇଛି । ତେଣୁ ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, "ଯେଉଁ ସଂସ୍ଥା ଏହି ଉଜ୍ଵଳ ଆଲୋକ ଲଗାଇବା ଓ ସଜାଡ଼ିବାର ଦାଇତ୍ୱ ନେଇଥିଲା ତାହା ଏବେ ସମଗ୍ର ରାଜ୍ୟରେ ବ୍ଲାକଲିଷ୍ଟ ହୋଇଛି । ଯେଉଁଥିପାଇଁ ଖରାପ ଉଜ୍ଵଳ ଆଲୋକ ସଜାଡ଼ିବା ପାଇଁ କୌଣସି ପ୍ରକାର ସୁବିଧା ହୋଇ ପାରୁନାହିଁ । ଏସବୁ ଲାଇଟ ବଦଳାଯାଇ ସବୁଠି ସୋଲାର ଅଟୋମେଟିକ ଲାଇଟ ଲଗାଯିବ।" ତେବେ ଦେଖିବାକୁ ବାକି ରହିଲା ବାଲେଶ୍ବରବାସୀ କେବେ ପାଉଛନ୍ତି ସୋଲାର ଲାଇଟର ସୁବିଧା ।
ଇଟିଭି ଭାରତ, ବାଲେଶ୍ବର