ବାଲେଶ୍ବର: ଗ୍ରାମାଞ୍ଚଳରେ କରତ କଳଗୁଡିକୁ ସରକାର ଲାଇସେନ୍ସ ଦେଉନାହାନ୍ତି । ଫଳରେ ବନ ବିଭାଗ ପକ୍ଷରୁ ଏହା ଉପରେ ଚଢାଉ କରାଯାଇ ବନ୍ଦ କରି ଦିଆଯାଉଛି । ଯେଉଁ କାରଣରୁ କରତ କଳରୁ ଜୀବିକା ଅର୍ଜନ କରୁଥିବା ବାଲେଶ୍ବର ଜିଲ୍ଲାର ପ୍ରାୟ 20 ହଜାର ପରିବାର ନାନା ଅସୁବିଧା ଭୋଗୁଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି । ସମ୍ମିଳନୀ ଜରିଆରେ ଓଡିଶା କରତ କଳ ଆଇନ ସୁଧାର ଦାବି କରିଛି ପରିଷଦ ।
ମୁଖ୍ୟତଃ ଗ୍ରାମାଞ୍ଚଳଗୁଡିକରେ ଥିବା କରତ କଳଗୁଡିକୁ ସରକାର ଲାଇସେନ୍ସ ପ୍ରଦାନ କରିବାରେ ବ୍ୟତିକ୍ରମ କରୁଛନ୍ତି । ସେପଟେ ବନ ବିଭାଗ ଏସବୁ କଳଗୁଡିକ ବନ୍ଦ କରିବା ଯୋଗୁଁ ଏଥିରୁ ପେଟ ପୋଷୁଥିବା କାଠ କାରିଗର ଭଳି ହଜାର ହଜାର ଲୋକେ ବେରୋଜଗାର ହେଉଛନ୍ତି । ତେଣୁ କରତ କଳ ଚଳାଇବା ପାଇଁ ସରକାରୀ ସ୍ତରରେ ଅନୁମତି ପ୍ରଦାନ କରିବା ଏବଂ କରତ କଳ ମାଲିକମାନେ ଗଛ ଲଗାଇବା ଭିତ୍ତିରେ ସେମାନଙ୍କୁ ଲାଇସେନ୍ସ ଦେବାକୁ ପରିଷଦ ଦାବି କରିଛି । ଏଥିସହ ଯେଉଁମାନେ ଜଙ୍ଗଲ କାଠ କାଟୁଛନ୍ତି ସେହିମାନଙ୍କ କରତ କଳ ଉପରେ ହିଁ ଚଢାଉ କରାଯାଉ । ଯେଉଁ କରତ କଳ ଘର ବାଡି କାଠ କାଟୁଛନ୍ତି ସେମାନଙ୍କୁ ବାଦ୍ ଦିଆଯାଉ ବୋଲି ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ପରିଷଦ କହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ