ବାଲେଶ୍ବର: ଭୋଗରାଇ ଥାନା ଅନ୍ତର୍ଗତ ଦୁଇଟି ସ୍ଥାନାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗ୍ରାମର ବିଦୁଭୂଷଣ ଦେ (90) ବାର୍ଦ୍ଧକ୍ୟ ଭତ୍ତା ନପାଇ ବ୍ଲକ ଅଫିସକୁ ଯାଇଥିଲେ । ଫେରିବା ବେଳେ ବ୍ଲକର ମୁଖ୍ୟ ଫାଟକ ସମ୍ମୁଖରେ ଦ୍ରୁତ ଗତିରେ ତିନିଜଣ ଯୁବକ ଏକ ବାଇକରେ ଆସି ବୃଦ୍ଧ ଜଣଙ୍କୁ ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ସେହିପରି ରସୁଲପୁର ଗ୍ରାମର ଲକ୍ଷ୍ମଣ ଦାସ (45) ଏବଂ ଗୌରାଙ୍ଗ ଦାସ (26) କୌଣସି କାମରେ ଏକ ବାଇକରେ ଚନ୍ଦନେଶ୍ବର ଯାଇଥିଲେ । ଫେରିବା ବାଟରେ ଜଳେଶ୍ବର ଚନ୍ଦନେଶ୍ବର 57 ନଂ ରାଜ୍ୟ ରାଜପଥର ଜଳ ସୋହରିଆ ପାଖରେ ସାମ୍ନାପଟୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।
ମାତ୍ର ସେଠାରେ ଡାକ୍ତର ଗୌରାଙ୍ଗଙ୍କୁ ମୃତ ଘୋଷଣା କରିଥିବା ବେଳେ ଅତି ଗୁରୁତର ଲକ୍ଷ୍ମଣଙ୍କୁ ବାଲେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଏନେଇ ଭୋଗରାଇ ଥାନା ପୋଲିସ ଅଲଗା ଅଲଗା ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇଟି ବାଇକ୍, ଟ୍ରକ୍ ଓ ପ୍ରଥମ ତିନି ଯୁବକଙ୍କ ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରି ପଚରା ଉଚୁରା କରୁଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ