ବାଲେଶ୍ଵର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ରସାଲପୁରକୁ ନୂତନ ବ୍ଲକ ଗଠନ ପାଇଁ ଦାବି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଉପକୂଳ ସୁରକ୍ଷା ମଞ୍ଚ । ଜନସଂଖ୍ୟାରେ ବୃଦ୍ଧି ବର୍ଦ୍ଧିତ ଜନହିତକାରୀ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ନୂତନ ବ୍ଲକ ଗଠନ ଦାବି ପାଇଁ ଦାବି କରାଯାଇଛି ।
ରସାଲପୁରକୁ ନୂତନ ବ୍ଲକ ଗଠନ ପାଇଁ ଉପକୂଳ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏକ ମହା ସମାବେଶ ଅନୁଷ୍ଠିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜନସଂଖ୍ୟାରେ ବୃଦ୍ଧି, ବର୍ଦ୍ଧିତ ଜନହିତକାରୀ ସରକାରୀ ଯୋଜନାର ସଫଳ ରୂପାୟନ ଓ ଭୌଗଳିକ ସ୍ଥିତି ତୁଳନାରେ ନୂତନ ବ୍ଲକ ଗଠନର ବହୁତ ଆବଶ୍ୟକ ଥିବା ମଞ୍ଚ ଦାବିରେ ଉଲ୍ଲେଖ କରିଛି । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ସ୍ବାଧୀନତାର ପରବର୍ତ୍ତୀ ସମୟରେ, ୧୯୫୦-୫୨ ମସିହା ଆର୍ଥିକ ବର୍ଷଠାରୁ ୧୯୬୩-୬୪ ଆର୍ଥିକ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ୩୧୪ ଗୋଟି ବ୍ଲକ ଅଥବା ପଞ୍ଚାୟତ ସମିତି ଗଠନ କରାଯାଇଥିଲା । ଏହାପର ଠାରୁ 60 ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ନୂତନ ବ୍ଲକ ଗଠନ କରାଯାଇନାହିଁ ।
ଏହା ମଧ୍ୟ ପଢ଼ନ୍ତୁ....ମଦଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
ରେମୁଣା ବ୍ଲକର ଉପାନ୍ତ ଅଞ୍ଚଳ ତାଳପଦା, ଇଞ୍ଚୁଡ଼ି, ତୁଣ୍ଡରା ଠାରୁ ଆରମ୍ଭ କରି କୁଳିଗାଁ, ଶ୍ରୀଜଙ୍ଗ, ମହାରାଜପୁର ଓ ବରୁଣସିଂ ଗ୍ରାମପଞ୍ଚାୟତର ହଜାର ହଜାର ଅଧିବାସୀମାନେ ରେମୁଣା ବ୍ଳକ ଓ ସଦର ମହକୁମାକୁ ଯିବାରେ ବହୁ ଅସୁବିଧାକୁ ସାମ୍ନା କରିଥାନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏତେ ଦୂର ଯିବା ଆସିବା ସାଧାରଣ ଲୋକଙ୍କୁ କଷ୍ଟସାଧ୍ୟ ହୋଇ ପଡୁଛି । ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକୀୟ ଚାହିଦାକୁ ମେଣ୍ଟାଇବା ପାଇଁ ଏକ ନୂତନ ବ୍ଲକ ଗଠନ ଜରୁରୀ ବୋଲି ମଞ୍ଚ କହିଛି ।
ରେମୁଣା ବ୍ଲକର ବରୁଣସିଂ, କୁଳିଗାଁ, ମହାରାଜପୁର, ତୁଣ୍ଡରା, ଇଞ୍ଚୁଡ଼ି, ଶ୍ରୀଜଙ୍ଗ, ତାଳପଦା ଗ୍ରାମ ପଞ୍ଚାୟତ ସମେତ ସଦର ବ୍ଲକର ରସାଳପୁର, ଜୟଦେବ କସବା, ବର୍ଦ୍ଧନପୁର, ପଦ୍ମପୁର, ଶାସଙ୍ଗ, ଗୁଡ଼ୁ, ଗେଙ୍ଗୁଟି ଓ ଖାନଗର ଗ୍ରାମ ପଞ୍ଚାୟତ ସହିତ ବାହାନଗା ବ୍ଳକର ଓଡ଼ଶାଳ ଏବଂ ନୂଆପୁର ଗ୍ରାମପଞ୍ଚାୟତ ଓ ୧୦୫ଟିର ରାଜସ୍ବ ଗ୍ରାମ ଯାହାର ହାରାହାରି ଜନସଂଖ୍ୟା ୯୦ ହଜାରରୁ ଏକ ଲକ୍ଷକୁ ନେଇ ରସାଳପୁରକୁ ନୂତନ ବ୍ଲକ ବା ପଞ୍ଚାୟତ ସମିତି ଗଠନ ପାଇଁ ଦାବି ଜଣାଇଛି ଉପକୂଳ ସୁରକ୍ଷା ମଞ୍ଚ ।
ଇଟିଭି ଭାରତ, ବାଲେଶ୍ଵର