ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଓକିଲ ସଂଘ ଆସନ୍ତା କାଲି ଗୁରୁବାର ଠାରୁ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୋର୍ଟ କାର୍ଯ୍ୟ ବନ୍ଦ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛି।
ଗତ 4 ତାରିଖରେ ସୋର ଅଞ୍ଚଳର ଓକିଲ ଧୀରେନ୍ଦ୍ର ଦାସ ନିଜ ଭଡାଘରେ ଥିବା ବେଳେ ସୋର ପୋଲିସ ଓ ଭୁବନେଶ୍ୱର ନୟାପଲ୍ଲୀ ଥାନାର ଜଣେ ଅଧିକାରୀ ରାତି ଅଧରେ ତାଙ୍କ ଘରେ ପଶି ବିନା କାରଣରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଓକିଲ ସଂଘ ପ୍ରଶ୍ନ କରିବାରୁ ସୋର ଥାନା ଅଧିକାରୀ ମଧୁମିତା ମହାନ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଓକିଲ ଧୀରେନ୍ଦ୍ର ଦାସଙ୍କ ନାମରେ ସେମିତି କିଛି ସଙ୍ଗୀନ ଅଭିଯୋଗ ନଥିବା ବେଳେ ତାଙ୍କ ଉପରେ ପୋଲିସର ଏମିତି ବର୍ବୋଚିତ ଆକ୍ରମଣକୁ ନିନ୍ଦା କରିବା ସହ ଦୋଷୀ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟି ଦାବି ଜଣାଇଥିଲା ଓକିଲ ସଂଘ। ମାତ୍ର ଏଥିରେ ବିଳମ୍ବ ହେଉଥିବାରୁ ଆସନ୍ତା କାଲି ଠାରୁ ସୋମବାର ଯାଏଁ ଜିଲ୍ଲା ଦୌରା ଜଜ, ଜଳେଶ୍ବର, ନୀଳଗିରି ଓ ସୋର କୋର୍ଟ ଆଗରେ ବିକ୍ଷୋଭ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ