ବାଲେଶ୍ବର: ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନାମରେ 90 ପ୍ରତିଶତ ପଥବିକ୍ରେତାଙ୍କୁ ରାସ୍ତାରୁ ହଟାଇଲା ପ୍ରଶାସନ । ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲା ବାଲେଶ୍ଵର ପଥବିକ୍ରେତା ସଂଘର ପୌରାଞ୍ଚଳର କମିଟି । ପଥବିକ୍ରେତାଙ୍କ ଉପରେ ପ୍ରଶାସନ ଅତ୍ୟାଚାର କରୁଥିବା ସାମ୍ବିକ ସମ୍ମିଳୀନରେ ଅଭିଯୋଗ କଲେ ସଂଘର ସଦସ୍ୟ ।
ବାଲେଶ୍ୱର ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସହରର ବିଭିନ୍ନ ରାସ୍ତା କଡ଼ରେ ଥିବା ଶହଶହ ପଥବିକ୍ରେତାଙ୍କୁ ରାସ୍ତା ପାର୍ଶ୍ଵରୁ ବେଆଇନ୍ ଭାବେ ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିବା ପଥ ବିକ୍ରେତାଙ୍କୁ ଥଇଥାନ ନକରି ସେହି ସ୍ଥାନରେ ବଡ଼ ବାବୁମାନଙ୍କର କାର ପାର୍କିଂ କରାଯାଉଛି । ଯାହା ଟ୍ରାଫିକ ସମସ୍ୟାର ବଡ଼ କାରଣ ହୋଇଥିବା ବେଳେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଇ ଗରିବ ଲୋକଙ୍କ ପେଟରେ ଲାତ ମାରୁଥିବା ଅଭିଯୋଗ ହୋଇଛି ।
ଗତ ୨୦୧୮ ମସିହାରେ ଯେଉଁ ପଥ ବିକ୍ରେତାଙ୍କୁ ରାସ୍ତା ପାର୍ଶ୍ଵରୁ ଉଚ୍ଛେଦ କରାଗଲା ସେମାନଙ୍କ ମଧ୍ୟରୁ ମାତ୍ର ୧୧ ଜଣ ଫୁଲ ଚାରା ପଥବିକ୍ରେତାଙ୍କୁ ପୋଲିସ୍ ଲାଇନ୍ରେ ଥଇଥାନ କରାଯାଇଥିଲା । ମାତ୍ର ଅନ୍ୟ ପଥ ବିକ୍ରେତାଙ୍କୁ ଥଇଥାନ କରାଗଲା ନାହିଁ । ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ଆଇନ୍–୨୦୧୪ ଆନୁସାରେ ପଥ ବିକ୍ରେତାଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନକୁ ଅଧିକାର ଦିଆଯାଇନାହିଁ । ସେହିପରି ଟାଉନ୍ ଭେଣ୍ଡିଂ କମିଟିର ବିନା ନିଷ୍ପତ୍ତିରେ କାହାକୁ ଉଚ୍ଛେଦ କରିପାରିବେ ନାହିଁ ବୋଲି ବ୍ୟବସ୍ଥା ଥିବାବେଳେ ଏଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପଥ ବିକ୍ରେତାଙ୍କ ସାମଗ୍ରୀ ଛଡ଼ାଇନେବା ଓ ବେଆଇନ୍ ଭାବେ ଫାଇନ୍ ଆଦାୟ ଭଳି ଅଭିଯୋଗ ଉଠିଛି ।
ତେବେ ପ୍ରଶାସନ ଓ ପୋଲିସର ଏହି ଆତଙ୍କରାଜ ବନ୍ଦ ନହେଲେ ଆସନ୍ତା ୧୭ ତାରିଖରେ ବାଲେଶ୍ଵର ପଥ ବିକ୍ରେତା ସଂଘ ବନ୍ଦ ପାଳନ କରିବେ ବୋଲି କହିଛି ସଂଘ। ଏହାସହ ବାଲେଶ୍ଵର ଗାନ୍ଧିସ୍ମୃତି ଭବନଠାରୁ ଶୋଭାଯାତ୍ରା ବାହାରି ପୌର କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ପଥ ବିକ୍ରେତା ସଂଘ ଉପ ସଭାପତି ଆବିଦ୍ ଖାନ୍, ସମ୍ପାଦକ ମୋହିନୀ ମୋହନ ପରିଡ଼ା, ଟିପିରି ସିଂ, ରାମଚନ୍ଦ୍ର ପରିଡ଼ା, ଅଭିରାମ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପଥବିକ୍ରେତା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ପଥବିକ୍ରେତାଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ସେମାନଙ୍କୁ ଥଇଥାନ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଆଦୌ ଯତ୍ନବାନ ହେଉ ନଥିବା ଅଭିଯୋଗ ହୋଇଛି । ଏଭଳି 11 ଦଫା ଦାବି ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ବାଲେଶ୍ବର