ବାଲେଶ୍ବର: ଶୀତଳ ଷଷ୍ଠୀ ଅବସରରେ ବାଲେଶ୍ୱରରେ ଅନୁଷ୍ଠିତ ହେଲା ଶିବ ପାର୍ବତୀ ବିବାହ। ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖରିତ ହେଲା ସହରର ମୁଖଶାଳା କୁରୁଡା ସ୍ଥିତ ପୀତାମ୍ବରା ସିଦ୍ଧ ମହାଶକ୍ତିପୀଠ । ସକାଳେ ମା ବଗଳାମୁଖୀଙ୍କ ନୀତିକାନ୍ତି ପରେ ମହାଦେବଙ୍କ ବିବାହ ପାଇଁ ନୀତିକାନ୍ତି ହୋଇଥିଲା। ପୀଠ ଅଧିଷ୍ଠାତ୍ରୀ ଶକ୍ତି ସ୍ୱରୂପିଣୀ ମାଆ ବଗଳାମୁଖୀ କନ୍ୟା ଓ ବର ଭାବେ ପୀଠର ରକ୍ଷକ ବାବା ବିଶ୍ୱନାଥଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଅପର୍ଣ୍ଣା ସାହୁ ଓ ଦୀପ୍ତିକାନ୍ତ ସାହୁ କନ୍ୟାକର୍ତ୍ତା ଏବଂ ତନୁଜା ରଣା ଓ ରାମଚନ୍ଦ୍ର ରଣା ବରକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ପରମ୍ପରା ତଥା ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ବିବାହ କର୍ମକାଣ୍ଡ ପୂର୍ବରୁ ବାବା ବିଶ୍ୱନାଥଙ୍କର ସମସ୍ତ ନୀତିପୂଜା ସହ ଦିବସବ୍ୟାପୀ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ବାବାଙ୍କ ଚଳନ୍ତି ପ୍ରତିମା ବିଗ୍ରହ ମହାମୃତ୍ୟୁଞ୍ଜୟଙ୍କୁ ବରବେଶରେ ଏବଂ ମାଆ ବଗଳାମୁଖୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ କନ୍ୟା ବେଶରେ ସଜ୍ଜିତ କରାଯାଇ ବିବାହ ମଣ୍ଡପକୁ ଅଣାଯାଇଥିଲା । ଭଜନ କୀର୍ତ୍ତନ ବାଦ୍ୟ ଓ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ବ୍ରାହ୍ମଣଙ୍କ ବେଦପାଠ ଓ ଜ୍ୟୋତିଷଙ୍କ ପଞ୍ଜିକା ନିର୍ଘଣ୍ଟ ଅନୁସାରେ ଉଭୟ ବରକନ୍ୟାଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା । ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ତଥା ମହିଳାଙ୍କ ଶଙ୍ଖ ହୁଳୁହୁଳି ଶବ୍ଦରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା ।
ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟପର୍ବ ଭାବେ ‘ଶୀତଳ ଷଷ୍ଠୀ’ ଯାତ୍ରା ସାରା ବିଶ୍ୱରେ ବେଶ ପରିଚିତ । ତେବେ ଏହି ଯାତ୍ରା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ହୋଇ ରହିନାହିଁ ବରଂ ରାଜ୍ୟର କୋଣ ଅନୁକୋଣରେ ଏହା ପାଳିତ ହେଉଛି । ଏହି ଯାତ୍ରାର ମୁଖ୍ୟ ଉତ୍ସବ ‘ଶିବ-ପାର୍ବତୀ’ ବିବାହ କାର୍ଯ୍ୟ ସଂପ୍ରତି ଓଡ଼ିଶାର ବିଭିନ୍ନ ଶୈବପୀଠରେ ସମ୍ପନ୍ନ ହୋଇଯାଇଛି । ଇତିହାସ ଅନୁସାରେ ଓଡ଼ିଶାରେ ପ୍ରାୟତଃ ୪ ଶହ ବର୍ଷ ପୂର୍ବରୁ ସମ୍ବଲପୁରର ଚୌହାନ ରାଜବଂଶର ଶାସନ କାଳରେ ରାଜା ଅଜିତ୍ ସିଂହ ଏହି ଶୀତଳ ଷଷ୍ଠୀ ଯାତ୍ରାର ପ୍ରଥମେ ଶୁଭାରମ୍ଭ କରିଥିଲେ ।
ଶିବ ପାର୍ବତୀ ବିବାହ କିମ୍ବଦନ୍ତୀ: କିମ୍ବଦନ୍ତୀ କହେ ଦୈତ୍ୟରାଜ ତାରକାସୁରର ଅତ୍ୟାଚାରରୁ ବ୍ରହ୍ମାଣ୍ଡକୁ ରକ୍ଷା କରିବାକୁ ଯାଇ ଭଗବାନ ବିଷ୍ଣୁ ଏହି ବିବାହ ଉତ୍ସବ ରଚନା କରିଥିଲେ । ତାରକାସୁର ଶିବପୁତ୍ରଙ୍କ ହାତରେ ପ୍ରାଣ ହରାଇବାର ବରପ୍ରାପ୍ତ ହୋଇଥିଲେ ତେବେ ଶତିଙ୍କ ମୃତ୍ୟୁପରେ ମହାଦେବ ବ୍ରହ୍ମାଣ୍ଡ ଛାଡ଼ି ଧ୍ୟାନମୁଦ୍ରାରେ ଅବସ୍ଥାନ କରୁଥିଲେ । ଏହି ପରିପ୍ରେକ୍ଷୀରେ ହିମାଳୟଙ୍କ ପୁତ୍ରୀ ପାର୍ବତୀ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମହାଦେବଙ୍କୁ ବିବାହ କରିଥିଲେ । ବିବାହ ପରେ ଶିବପାର୍ବତୀଙ୍କ ସ୍ୱଗୃହକୁ ପ୍ରର୍ତ୍ୟାବର୍ତ୍ତନ ଯାତ୍ରାକୁ ଶୀଳତଷଷ୍ଠୀ ଯାତ୍ରା ଭାବେ ପାଳନ କରାଯାଉଛି ।
ଇଟିଭି ଭାରତ,ବାଲେଶ୍ବର