ବାଲେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି । କେତେ ଯେ ସଂସାର ଉଜାଡ଼ିଛି ତାର ହିସାବ ନାହିଁ । ଆତ୍ମୀୟଙ୍କ ହରାଇଥିବା ଅନେକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଲେଶ୍ବର ଜିଲ୍ଲାବାସୀ ଗୌତମ ଦାଶ । ଯିଏକି ଦୁର୍ଘଟଣାରୁ ସିନା ରକ୍ଷା ପାଇଯାଇଛନ୍ତି, ହେଲେ ତାଙ୍କ ପତ୍ନୀ ଓ ସମ୍ପର୍କୀୟ ସବୁ ଦିନ ପାଇଁ ତାଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ଟ୍ରେନ ଭିଡ଼ ଥିବା ଯୋଗୁଁ ସେ ଟ୍ରେନ ସିଡିରୁ ଫେରିଆସିଥିଲେ । ହେଲେ ଟ୍ରେନରେ ଚଢିଯାଇଥିଲେ ପତ୍ନୀ, ଶାଶୁ ଓ ଶାଳକ । ଯିଏକି ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।
22 ବର୍ଷୀୟ ଗୌତମ ଦାଶ ବାଲେଶ୍ବରର ଏକ ପ୍ରାଇଭେଟ ବ୍ୟାଙ୍କରେ କାମ କରନ୍ତି । ସେ ଆଜି ବାଲେଶ୍ବର ଶିଳ୍ପାଞ୍ଚଳରେ ଥିବା NOCCI ବିଜିନେସ ସେଣ୍ଟରକୁ ଆସିଛନ୍ତି । ହାତରେସରକାରୀ ଘୋଷଣା ହୋଇଥିବା ମୃତ ଅନୁକମ୍ପା ମୂଳକ ରାଶି ଧରିଛନ୍ତି । 9 ଲକ୍ଷ 50 ହଜାର ଟଙ୍କାର ଚେକ ଏବଂ 50 ହଜାର ଟଙ୍କାର ନଗଦ ରାଶି । ହାତ ଥରୁଛି ଆଖିରେ ଆଖିଏ ଲୁହ । କାନ୍ଦି କାନ୍ଦି ଅସହାୟତା ପ୍ରକାଶ କରିଛନ୍ତି ଗୌତମ । ଆଉ ଇଟିଭି ଭାରତ ସହିତ ନିଜ କୋହଭରା କଣ୍ଠରେ ସେହି ଛାତିଥରା କାହାଣୀ ବଖାଣିଛନ୍ତି । ତାଙ୍କ ବିବାହକୁ ବର୍ଷେ ପୁରିବାକୁ ଥିବା ବେଳେ ପତ୍ନୀ ବିଷ୍ଣୁପ୍ରିୟା ଆରପାରିକୁ ଚାଲିଯାଇଛନ୍ତି । ପତ୍ନୀଙ୍କ ଚିକିତ୍ସା ଲାଗି ସେ କଟକ ଯାଉଥିବା କହିଛନ୍ତି ।
ଗୌତମଙ୍କ କରୁଣ କାହାଣୀ:- ଦୁର୍ଘଟଣା ଘଟିବା ଦିନ ବାଲେଶ୍ବର ରେଳ ଷ୍ଟେସନରେ ପହଞ୍ଚିଥିଲେ ଗୌତମ । ସ୍ତ୍ରୀ ବିଷ୍ଣୁପ୍ରିୟା, ଶାଶୁ ଝରଣା ଏବଂ ଶାଳକ ସନ୍ଦୀପକୁ ନେଇ କଟକ ହସ୍ପିଟାଲ ଯାଇ ସ୍ତ୍ରୀର ଷ୍ଟୋନ ଅପରେସନ କରିଥାନ୍ତେ । ହେଲେ ବିଧାତାଙ୍କ ନିର୍ଦ୍ଦେଶ ଥିଲା କିଛି ଅଲଗା । ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଛାଡିଲା ବେଳକୁ ସ୍ତ୍ରୀ ,ଶାଶୁ ଏବଂ ଶାଳକଙ୍କୁ ଟ୍ରେନ ଭିତରକୁ ଉଠାଇଥିଲେ । ପରେ ଅତ୍ୟନ୍ତ ଭିଡ଼ କାରଣରୁ ଚଢି ପାରିନଥିଲେ ଗୌତମ । ପଛ ଟ୍ରେନରେ ଯାଉଛି କହି ସମସ୍ତଙ୍କୁ ବିଦାୟ ଦେଇଥିଲେ । ସତେ ଯେମିତି ଈଶ୍ବର ତାଙ୍କ ହାତ ଭିଡି ଧରିଥିଲେ । କିଏ ଜାଣିଥିଲା ଏହା ତାଙ୍କ ପତ୍ନୀଙ୍କୁ ଥିଲା ଶେଷ ବିଦାୟ । ପଛ ଗାଡିକୁ ଅପେକ୍ଷା କରିଥିବା ସମୟରେ ହଠାତ ଫୋନ ଆସିଲା ବାହନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟିଛି । ତତକ୍ଷଣାତ ବିଷ୍ଣୁପ୍ରିୟାଙ୍କ ନମ୍ବରକୁ କଲ କରି କୌଣସି ଉତ୍ତର ନପାଇବାରୁ ବ୍ୟଥିତ ହୋଇ ସଙ୍ଗେ ସଙ୍ଗେ ଆସିଥିଲେ ବାହନଗା ଷ୍ଟେସନ।
ଏହା ବି ପଢନ୍ତୁ- Odisha Train Tragedy: ରେଳ ଦୁର୍ଘଟଣାର ହେବ CBI ତଦନ୍ତ
ଷ୍ଟେସନରେ ପହଞ୍ଚିବା ପରେ ଅନ୍ଧାର ରାତିରେ ଟ୍ରେନ ଦୁର୍ଘଟଣାର ବୀଭତ୍ସ ରୂପ ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ। ଶାଶୁ , ସ୍ତ୍ରୀ ଏବଂ ଶାଳକଙ୍କ ନମ୍ବରରେ ଯେତେ କଲ କଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ତା' ପରେ ରେଳ ଷ୍ଟେସନରୁ କୁଢ଼ କୁଢ଼ ମୃତଦେହ ଦେଖି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ରାତି ତମାମ ଖୋଜା ଖୋଜି କରି ଆପଣାର ଲୋକଙ୍କୁ ନପାଇବାରୁ ବାଲେଶ୍ବର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ଗୌତମ । ସକାଳେ ଜାଣିବାକୁ ପାଇଲେ ଶାଶୁ ଝରଣାଙ୍କ ସମେତ ପତ୍ନୀ ଓ ଶାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏଭଳି ଦାରୁଣ ଦୁଃଖ ଗୌତମଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଆଜି ପତ୍ନୀଙ୍କୁ ହରାଇ ଏକା ହୋଇଯାଇଛନ୍ତି ଗୌତମ ଏକା ।
ଇଟିଭି ଭାରତ, ବାଲେଶ୍ବର