ବାଲେଶ୍ବର: ମିସକଲରୁ ଆରମ୍ଭ ହୋଇ ଧୋକାରେ ଶେଷ ହୋଇଛି କରୁଣ ପ୍ରେମ କାହାଣୀ । ଭୁଲ ବଶତଃ କରାଯାଇଥିବା କଲ୍ରୁ ଅଜାଣତରେ ଆରମ୍ଭ ହୁଏ ପ୍ରେମ । ହେଲେ ଦୁଷ୍କର୍ମ ପରେ ବେକ ଓ ଯୌନାଙ୍ଗ କାଟିବା ସହ ଶେଷ ହୁଏ ଏହି ପ୍ରେମ କାହାଣୀ । ଘଟଣାଟି ହେଉଛି ବାଲେଶ୍ବର ଜିଲ୍ଲାର ବାଲିଆପାଳ ଥାନା ପାକମୁଢି ଗାଁର। ଯେଉଁଠାରେ ବୟସର ଶ୍ରୋତରେ ବୋହି ପ୍ରେମରେ ପଡିଥିଲା ଏକ ନାବାଳିକା । ହେଲେ ପ୍ରେମିକର ପ୍ରତାରଣାରେ ବର୍ତ୍ତମାନ ଡାକ୍ତରଖାନା ଶଯ୍ୟାରେ ପ୍ରେମିକା ।
ସୂଚନା ଅନୁଯାୟୀ ପାକମୁଢି ଗ୍ରାମର ଗଣେଶ କରଙ୍କର 15 ବର୍ଷର ଝିଅ କିଛି ମାସ ତଳେ ମୋବାଇଲରେ ଚାଟିଂ କରୁଥିବା ସମୟରେ ଭୁଲରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ କଲ୍ ଲାଗିଯାଇଥିଲା । ପରେ ଏହି ମିସକଲ୍ରୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ । ଏସମ୍ପର୍କରେ ନାବାଳିକାର ପରିବାରବର୍ଗ ମଧ୍ୟ ଅବଗତ ଥିଲେ। ତେବେ ଶୁକ୍ରବାର ସନ୍ଧ୍ୟାରେ ମିଛ କହି ନାବାଳିକାକୁ ଘରୁ ଆଣି ହାସିମପୁରସ୍ଥିତ ସୂତା ମିଲରେ ଦୁଷ୍କର୍ମ କରିଥିଲା ପ୍ରେମିକ ।
ହେଲେ ପ୍ରେମିକା କିଛି ବୁଝିବା ଆଗରୁ ଏକ ଧାରୁଆ ବ୍ଲେଡରେ ତାର ବେକ ସହ ଯୌନାଙ୍ଗ କାଟି କ୍ଷତାକ୍ତ କରିଥିଲା ପ୍ରେମିକ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାକୁ ରାସ୍ତାରେ ଫୋପାଡି ଚାଲିଯାଇଥିଲା ଧୋକାବାଜ ପ୍ରେମିକ । କ୍ଷତାକ୍ତ ଅବସ୍ଥାରେ ନାବାଳିକାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ନିକଟସ୍ଥ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ନାବାଳିକାର ଅବସ୍ଥା ଶୋଚନୀୟ ହୋଇପଡିବାରୁ ତାକୁ ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।
ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଜଣେ ଅଜଣା ଲୋକ ସହ ସମ୍ପର୍କ ପରେ ଭଲ ପାଇବା ଓ ବାହାଘର ପରି ନିଷ୍ପତ୍ତି ଝିଅ ନେଇଥିବା ବେଳେ ପୁଅର ଘର ବା ପରିବାର ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞାତ । ତେଣେ ବାଲିଆପାଳ ପୋଲିସ ପୀଡିତାର ବୟାନ ନେଇ ତଦନ୍ତ ଜାରି ରଖିଥିବା ସହ ଏନେଇ କୌଣସି ମାମଲା ରୁଜୁ ହୋଇ ନଥିବା ଜଣା ପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ