ବାଲେଶ୍ଵର: ରେମୁଣା ବ୍ଲକ ଜଙ୍ଖରାଇ ଚଷାଖଣ୍ଡ ନୋଡାଲ ଉପ୍ରା(ଏମ୍ଇ) ସ୍କୁଲରେ ପିଲାମାନଙ୍କୁ ଦିଆଯାଇଥିବା ମଧ୍ୟାହ୍ନଭୋଜନ ତରକାରୀରେ ପୁଳାପୁଳା ପୋକ ଭାସୁଥିବା ଦେଖିବାକୁ ମିଳିଛି । ଏହାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଏନେଇ ତୁରନ୍ତ ବିଭାଗୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ରେମୁଣା ବ୍ଲକର ଜଙ୍ଖରାଇ ଚଷାଖଣ୍ଡ ନୋଡାଲ ଉପ୍ରା(ଏମ୍ଇ) ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନଭୋଜନରେ ସୋୟାବିନ ତରକାରୀ ଦିଆଯାଇଥିଲା। ମାତ୍ର ସେଥିରେ ମେଞ୍ଚାମେଞ୍ଚା ପୋକ ଭାସୁଥିବା ପିଲାମାନେ ଦେଖିବାକୁ ପାଇଥିଲେ। ଏନେଇ ପିଲାମାନେ ଥାଳି ଧରି ଅଭିଭାବକଙ୍କୁ ଦେଖାଇଥିଲେ।
ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ପରିସରରେ ଏକତ୍ରିତ ହୋଇ ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବା ସହ ହୋ-ହଲ୍ଲା କରିଥିଲେ। ଏହି ସମୟରେ ସେହି ଅଞ୍ଚଳକୁ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଗସ୍ତ କରିଥିବା ଜାଣି ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ସେଠାକୁ ଡକାଯାଇଥିଲା। ବିଧାୟକ ଶ୍ରୀ ପରିଡ଼ା ସେଠାରେ ପହଞ୍ଚିବା ପରେ ପିଲାଙ୍କୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟ ସମ୍ପର୍କରେ ଲୋକ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ପରେ ବିଧାୟକ ଶ୍ରୀ ପରିଡ଼ା ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ରେମୁଣା ବିଇଓ ପ୍ରାଚୀତନୟା ଗିରିଙ୍କୁ ଫୋନ କରି ଜଣାଇଥିଲେ।
ପରେ ଏବିଇଓ ନମିତାପ୍ରଭା ସାମଲ ସେଠାରେ ପହଞ୍ଚି ଯାଞ୍ଚ ବେଳେ ମଧ୍ୟାହ୍ନଭୋଜନରେ ବ୍ୟବହାର ହୋଇଥିବା ସୋୟାବିନ ପ୍ୟାକେଟ୍ ୨୦୦୧ ମସିହାର ବୋଲି ଜଣାପଡିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସ୍କୁଲର ପ୍ରଧାନଶିକ୍ଷକ ଓ ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ବରେ ଥିବା ସମ୍ପୃକ୍ତ ଏସ୍ଏଚ୍ଜି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏବିଇଓ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୯୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଜି ଉପସ୍ଥାନ ଅନୁଯାୟୀ ୨୫୭ ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥିଲା। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ଖାଦ୍ୟ ନଷ୍ଟ ହୋଇଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ