କଟକ: ଭୋଗରାଇ ତହସିଲଦାରଙ୍କୁ ହାଇକୋର୍ଟଙ୍କ ଛାଟ । ଦାୟିତ୍ବରେ ଅବହେଳା କରିଥିବା ତହସିଲଦାରଙ୍କୁ ୩ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ (High Court Imposes Rs 3000 Fine On Bhograi Tehsildar) । ୧୧ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିବା ମ୍ୟୁଟେସନ୍ ମାମଲାର ଏ ପର୍ଯ୍ୟନ୍ତ ଫଇସଲା ନ ହେବା ପ୍ରସଙ୍ଗକୁ ନେଇ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଆବେଦନକାରୀଙ୍କୁ ତହସିଲଦାର ବ୍ୟକ୍ତିଗତ ଭାବେ ୩ ହଜାର ଟଙ୍କା ପ୍ରଦାନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ନିଜେ ତହସିଲଦାର ଏହି ଅର୍ଥ ଦେବେ ଓ ସରକାରୀ ତହବିଲରୁ ଏହି ଅର୍ଥ ପଇଠ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ତହସିଲଦାର ଦାୟିତ୍ବ ସମ୍ପାଦନରେ ଗୁରୁତର ଅବହେଳା କରିଛନ୍ତି । ଏ ସଂପର୍କିତ ଫାଇଲ ହଜି ଯାଇଛି ବା ମିଳୁ ନାହିଁ ବୋଲି କୁହାଯାଉଥିବାବେଳେ, ଫାଇଲ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଭଳି ସ୍ଥିତିରେ ହାଇକୋର୍ଟ ବ୍ୟକ୍ତିଗତ ହାଜିରାରୁ ତହସିଲଦାରଙ୍କୁ ମୁକ୍ତ କରିବାକୁ ମନା କରିଛନ୍ତି । ନଭେମ୍ବର ୯ ତାରିଖ ସାଢେ ୧୦ଟା ସମୟରେ ତହସିଲଦାର ବ୍ୟକ୍ତିଗତ ଭାବେ ହାଜରେ ହୋଇ ଏହି ପ୍ରସଙ୍ଗରେ ସାନି ସ୍ଥିତି ନେଇ ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି ।
ସୂଚନା ମୁତାବକ, ନିର୍ଦ୍ଦିଷ୍ଟ ଜମି ଆବେଦନକାରୀଙ୍କ ସପକ୍ଷରେ ରେକର୍ଡ କରିବା ପାଇଁ ସିଭିଲ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ୨୦୧୧ରେ ଆବେଦନକାରୀ ଭୋଗରାଇ ତହସିଲଦାରଙ୍କ କାର୍ଯ୍ୟାଳୟରେ ମ୍ୟୁଟେସନ୍ ମାମଲା ରୁଜୁ କରିଥିଲେ । ମାମଲାର ଚୂଡାନ୍ତ ଫଇସଲା କରାଯାଇ ନଥିଲା । ଦଶ ବର୍ଷ ଧରି ମାମଲା ଏଭଳି ଭାବେ ପଡି ରହିଥିଲା । ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ମ୍ୟୁଟେସନ ମାମଲାର ଫଏସଲା ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଇଟିଭି ଭାରତ, କଟକ