ବାଲେଶ୍ବର: ଭାରତ ସରକାରଙ୍କ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ( ସିଏମ୍ ଏଫ୍ଆରଆଇ ) ଏବଂ ଜାତୀୟ ମତ୍ସ୍ୟ ସମ୍ପଦ ବୋର୍ଡ ( ଏନଏଫଡିସି ) ପକ୍ଷରୁ ମତ୍ସଜୀବୀଙ୍କ ପାଇଁ ହୋଇଥିବା ପ୍ରକଳ୍ପର ସୁଫଳ କାର୍ଯ୍ୟକାରୀ ହୋଇଛି। ଏହା ଫଳରେ ଗଭୀର ସମୁଦ୍ର ଭିତରେ ସ୍ବଦେଶୀ ଜ୍ଞାନ କୌଶଳରେ ମାଛ ଚାଷ ହୋଇ ପାରୁଛି । ସ୍ଥଳ ଭାଗରେ ମାଛ ଚାଷ ଅପେକ୍ଷା ଏହି ପ୍ରଣାଳୀରେ ଅଧିକ ଲାଭବାନ ହେଉଛନ୍ତି ମତ୍ସଜୀବୀ ।
ବାଲେଶ୍ବର ଜିଲ୍ଲା ସଦର ବ୍ଲକ ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ରଠାରୁ ଅନ୍ୟୁନ ୨ରୁ ୩ କିଲୋମିଟର ସମୁଦ୍ର ଭିତରେ ପଞ୍ଜୁରୀରେ ମାଛ ଚାଷ ( ତିପ୍ଟର କେଜ ଫିସ୍ କଲଚର ) ପ୍ରକଳ୍ପର ଉଦଘାଟନ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଏବେ ଉକ୍ତ କେଜ ଗୁଡିକରୁ ମାଛ ଉତ୍ପାଦନ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ପଞ୍ଜୁରୀ ଭିତରେ ମାଛ ଚାଷ କରାଯାଉଛି । ଫଳରେ ପୂର୍ବ ଅପେକ୍ଷା ମତ୍ସଜୀବୀମାନେ ଅଧିକ ଲାଭବାନ ହେଉଛନ୍ତି । ୫ ମାସ ଭିତରେ ୬ ଟି କେଜରୁ ୫ ଟନରୁ ଅଧିକ ମାଛ ଉତ୍ପାଦନ ହୋଇଛି। ଏହି ପ୍ରଣାଳୀରେ ଆହୁରି ୩୦ଟି କେଜ ନିର୍ମାଣ କରାଯାଇ ମାଛ ଚାଷ କରାଯାଉଛି। ଯାହାକି ମାତ୍ର ୫ ମାସ ମଧ୍ୟରେ ୩୦ ଟି କେଜରୁ ୨୫ ଟନରୁ ଅଧିକ ମାଛ ଉତ୍ପାଦନ ହୋଇପାରିଛି। ୩୦ଟି କେଜରେ ମାଛଚାଷ କରିବା ପାଇଁ ୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିପାଇଁ ଆଗ୍ରହୀ ମତ୍ସ୍ୟଜୀବୀଙ୍କୁ ମିଳୁଥିବା ଋଣରେ ୪୦ ପ୍ରତିଶତ ସବସିଡି ପ୍ରଦାନ କାରାଯାଇଥିବା ବେଳେ ମହିଳା କିମ୍ବା ଅନୁସୁଚିତ ଆଗ୍ରହୀ ଚାଷୀଙ୍କ ପାଇଁ ୬୦ ପ୍ରତିଶତ ସବସିଡି ବ୍ୟବସ୍ଥା ରହିଛି ।
ପ୍ରଥମ ପର୍ଯ୍ୟାୟରେ ଏହି କେଜରେ ପୋମ୍ପାନୋ ପ୍ରଜାତିର ମାଛ ଚାଷ କରାଯାଇଛି। ମାଛର ବଜାର ଚାହିଦା ମଧ୍ୟ ଭଲ ରହିଥିବାବେଳେ ବଜାର ମୂଲ୍ୟ ୩୦୦ ରୁ ୩୫୦ ଟଙ୍କା ରହିଛି। ସମୁଦାୟ ୩୦ ଟି କେଜ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮ ଟି କେଜ କରାଯାଇ ମାଛ ଛଡା ଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ଆଉ ୨୨ ଟି କେଜ କରାଯାଇ ମାଛ ଜାଆଁଳ ଛଡ଼ା ଯାଇଥିଲା। ଏପ୍ରିଲ ମାସ ବେଳକୁ ସମସ୍ତ ୩୦ଟି କେଜରୁ ୨୫ ଟନ ମାଛ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଏପ୍ରିଲ ମାସରେ ୬ ଟି କେଜରୁ ୫ ଟନ ମାଛ ଉତ୍ପାଦନ ହୋଇଛି। ପରବର୍ତ୍ତି ସମୟରେ ସମସ୍ତ କେଜରୁ ମାଛ ଧରାଯାଇ ପୁଣି ନୂଆ ଜାଆଁଳ ଛଡାଯିବ ବୋଲି ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ