ବାଲେଶ୍ବର: କୋରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଶୈଳୀରେ ହୋଇଛି ପରିବର୍ତ୍ତନ । ଅନେକ ପ୍ରବାସୀ ଗାଁ ମାଟିକୁ ଫେରିବା ପରେ ଆପଣେଇ ନେଇଛନ୍ତି ପୁଣି ସେଇ ଚାଷ କାର୍ଯ୍ୟକୁ । ହେଲେ କୋରୋନା ଲକଡାଉନ ବେଳେ ସ୍କୁଲ ଛୁଟି ଥିବାରୁ ଅନାବନା ଘାସ ଗଛରେ ପରିପୂର୍ଣ୍ଣ ଏକ ଛୋଟ ଜାଗାକୁ ସଫା କରି ସେଥିରେ ପରିବା ଚାଷ କରି ଉଦାହରଣ ସାଜିଛନ୍ତି ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ।
ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ସରସ୍ବତୀପୁର ବାମପଦା ଅଞ୍ଚଳର ବିପିନ ମାରାଣ୍ଡି ଓ ଗେହ୍ଲାମଣି ମାରାଣ୍ଡିଙ୍କ ପୁଅ ଗଣେଶ । ଯିଏକି ସ୍କୁଲ ଛୁଟି ଥିବା ବେଳେ ଘରେ ବସି ପାଠ ପଢ଼ା ସାରିବା ପରେ ବିରକ୍ତି ଅନୁଭବ କରୁଥିଲେ । ମୋବାଇଲ ଓ ଟିଭିରେ ବିଭିନ୍ନ ପ୍ରକାର ପରିବା ଚାଷର ପ୍ରଣାଳୀ ଦେଖି ଗଣେଶ ପ୍ରଭାବିତ ହୋଇଥିଲେ । ସେ ତାଙ୍କ ବାପାଙ୍କୁ ପାଖରେ ଥିବା ଏକ ଜାଗାରେ ପରିବା ଚାଷ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ବିପିନଙ୍କ ପାଖରେ ସମୟ ନଥିବାରୁ ସେ ଏହାକୁ ପ୍ରଥମେ ପ୍ରତ୍ୟାଖାନ କରିଥିଲେ । ପରେ ପୁଅର ଜିଦକୁ ଦେଖି ବିପିନ ଗଣେଶଙ୍କୁ ଏକ ଛୋଟ କୋଦାଳ, ପାଣି ସ୍ପ୍ରେ ଓ କିଛି ଗଛ ଆଣି ଦେଇଥିଲେ । ଗଣେଶ କୋଦାଳରେ ଅଳିଆ ଭର୍ତ୍ତି ସ୍ଥାନକୁ ସଫା କରି ସେଥିରେ ବାପା ଆଣିଥିବା ପରିବା ଗଛ ରୋପଣ କରିଥିଲେ ।
ପୁଅର ଏମିତି କାର୍ଯ୍ୟକୁ ଦେଖି ବିପିନ ମଧ୍ୟ ନିଜକୁ ଅଟକାଇ ପାରି ନଥିଲେ । ସେ ବି ପୁଅ ସହ ମିଶି ବିଭିନ୍ନ ପ୍ରକାରର ପରିବା ଗଛ ଆଣି ଲଗାଇଥିଲେ । ପରିବା ଗଛ ଗୁଡିକର ଯତ୍ନ ନେବା ଠାରୁ ଆରମ୍ଭ କରି ସେଥିରେ ଜୈବିକ ସାର ପ୍ରୟୋଗ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଗଣେଶ ନିଜେ କରିଛନ୍ତି । ଏବେ ପରିବା ଫଳିବା ପରେ ବାପା ମାଆ ମଧ୍ୟ ଆନନ୍ଦରେ ପୁଅକୁ ସାବାସୀ ଦେଉଛନ୍ତି । କୁନି ବୟସରେ ଏମିତି ଚିନ୍ତାଧାରା ରଖି ଏକ ଅଦରକାରୀ ସ୍ଥାନକୁ ପରିବା ବଗିଚାରେ ପରିଣତ କରି ଦେଖାଇଛନ୍ତି ଗଣେଶ । ତାଙ୍କର ଏ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବର୍ତ୍ତମାନ ଦିନରେ ପରିବାର ଦର ଆକାଶ ଛୁଆଁ ହେଉଥିବା ବେଳେ ଗଣେଶଙ୍କ ଏ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଯିବ ଏଥିରେ ସନ୍ଦେହ ନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ