ବାଲେଶ୍ଵର: ମୁଖ୍ୟମନ୍ତୀଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ଜଣେ ଦିବ୍ୟାଙ୍ଗ ଛାତ୍ର । ରେମୁଣା ବ୍ଲକ ବରୁଣସିଂ ଅଞ୍ଚଳର ଜଣେ ଛାତ୍ର ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ହୋଇଯାଇଛନ୍ତି । ଅର୍ଥ ଅଭାବରୁ ଚିକିତ୍ସିତ ପାଇଁ ବାଧା ଉପୁଜୁଥିବାରୁ ଶରୀରର ପୀଡା ସହି ନପାରି ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି ଇଚ୍ଛାମୃତ୍ୟୁ ।
"ମୁଁ ଆଉ ପାରୁ ନାହିଁ । ଥକି ପଡିଲିଣି । ମୁଁ ଆଉ କଷ୍ଟ ସହି ପାରୁନାହିଁ । ଅନେକ ଚେଷ୍ଟା କରି ସାରିଲିଣି ହେଲେ ଆଉ ପାରୁନାହିଁ । ମୋର ଜୀବନ ରଖିବାକୁ ଇଚ୍ଛା ନାହିଁ । ମୁଁ ମରିବାକୁ ଚାହୁଁଛି । ଆପଣ ଦୟା କରି ମୋତେ ଇଚ୍ଛା ମୃତ୍ୟୁ ଦିଅନ୍ତୁ । ମୁଁ ମରିବାକୁ ଚାହୁଁଛି । ଆଶା କରୁଛି ଆପଣ ମୋତେ ସାହାଯ୍ୟ କରିବେ ।" ଏମିତି କୋହ ଭରା ଶବ୍ଦ ଲେଖିଛନ୍ତି ଛାତ୍ର ବିଜୟ କୁମାର ଜେନା । ନିଜ ଶରୀରର ଯନ୍ତ୍ରଣା ସାଙ୍ଗକୁ ସରକାରୀ ସହାୟତାର ଲମ୍ବା ପ୍ରତୀକ୍ଷାରେ ବିଜୟ ନିରାଶ ହୋଇ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ନିବେଦନ କରିଛନ୍ତି ।
୨୦୧୮ ମସିହାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ବିଜୟ ୮୦ ପ୍ରତିଶତ ଦିବ୍ୟାଙ୍ଗ ପାଲଟିଗଲେ । ୪ ବର୍ଷ ହୋଇଗଲାଣି ବିଜୟ ହୁଇଲ୍ ଚେୟାର ବ୍ୟବହାର କରୁଛନ୍ତି । ନା ଠିକରେ ଚାଲିପାରୁଛନ୍ତି ନା ନିଜେ କିଛି କରିପାରୁଛନ୍ତି । ବିଜୟଙ୍କ ବାପା କୁନା ଜେନା ମଧ୍ୟ ପାରାଲିସିସରେ ପୀଡିତ ଏବଂ ମାଆ ସୁଲୋଚନା ଜେନା ଜଣେ ଦୃଷ୍ଟିହୀନ । ବିଜୟଙ୍କ ସାନ ଭାଇ କିଛି କରନ୍ତି ନାହିଁ । ତିନି ଜଣଙ୍କ ଭତ୍ତା ଟଙ୍କାରେ ପରିବାର କଷ୍ଟେମଷ୍ଟେ ଚଳୁଛି । ବିଜୟ ଏକ ବ୍ୟାଟେରି ଚାଳିତ ହୁଇଲ୍ ଚେୟାର ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟି ହୁଇଲ୍ ଚେୟାର ପାଇଁ ନିବେଦନ କରିଥିଲେ ମଧ୍ୟ ଏହି ବାବଦରେ କେହି କର୍ଣ୍ଣପାତ କରିନାହାଁନ୍ତି । ସରକାରୀ ସହାୟତା ମାଗି ମାଗି ଥକି ପଡିବା ପରେ ଶେଷରେ ବିଜୟ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ମାଗିଛନ୍ତି ।
ଇଟିଭି ଭାରତ, ବାଲେଶ୍ଵର