ବାଲେଶ୍ଵର: ଜିଲ୍ଲାରେ ଦିନକୁ ଦିନ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । କେତେବେଳେ ଏସପିଙ୍କ ନାଁ ନେଇ ଲୁଟେରା ମାନେ ସାଧାରଣ ଲୋକଙ୍କୁ ଲୁଟି ନେଉଛନ୍ତି ତ କେତେବେଳେ ମହିଳାଙ୍କ ବେକରୁ ଚେନ ଲୁଟି ନେଉଛନ୍ତି । ଏମିତି ପରିସ୍ଥିତି ଭିତରେ ବାଲେଶ୍ବରବାସୀ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ପୋଲିସ ପ୍ରଶାସନର କାର୍ଯ୍ୟକଳାପ ଉପରେ ଆଙ୍ଗୁଳି ଉଠିଛି ।
କିଛିଦିନ ହେବ ବାଲେଶ୍ଵରରେ ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ସେଥିପ୍ରତି ରୋକ ଲଗାଇବାରେ ପୋଲିସ ପ୍ରଶାସନ ଆଖି ଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଗତକାଲି (ଗୁରୁବାର) ରାତିରେ ସହରର ୩୧ ନଂ ୱାର୍ଡ କାଉନସିଲର ରଞ୍ଜିତା ମହାପାତ୍ର ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ ଆସିଥିବା ବେଳେ କିଛି ମଦ୍ୟପ ଯୁବକ ତାଙ୍କ ଅଟୋକୁ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ ଲୁଟିବା ପାଇଁ ଉଦ୍ୟମ କରିଥିଲେ । ଏହାର ପ୍ରତିବାଦ ସ୍ବରୂପ ୩୧ଟି ୱାର୍ଡର କାଉନସିଲର ଓ ଅଧ୍ୟକ୍ଷା ଆଜି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି କ୍ରାଇମ ଡ଼ିଏସପିଙ୍କୁ ଭେଟି ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ଦାବି କରିଥିଲେ ।
ସେହିପରି ଏମିତି ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ପାଇଁ ଜିଲ୍ଲା ପୋଲିସକୁ ଦାୟୀ କରି ବାଲେଶ୍ବର ଓକିଲ ସଂଘ ମଧ୍ୟ ସ୍ବର ଉଠାଇଛି । ତୁରନ୍ତ ପୋଲିସ ପ୍ରଶାସନ ଏଥିପ୍ରତି ସଜାଗ ନହେଲେ ଓକିଲ ସଂଘ ବାଲେଶ୍ଵର ବନ୍ଦ ଭଳି ଚରମ ନିଷ୍ପତ୍ତି ନେବାପାଇଁ ଆଲୋଚନା ହୋଇଛି ବୋଲି କହିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର