ଭୁବନେଶ୍ବର: ବାଲେଶ୍ୱର ବାଲିଆପାଳ ବ୍ଲକ ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦଙ୍କ ଅନଶନ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ବର୍ଷିଛି କଂଗ୍ରେସ । ନିର୍ବାଚିତ ଜନପ୍ରତିନିଧିଙ୍କୁ ବିଡିଓଙ୍କ କାହା ସାହାସରେ ଦୁର୍ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମ୍ୟାନିଫେଷ୍ଟୋ କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି ରାଜ୍ୟରେ ଏକ ଲୋକାଭିମୁଖି ଏବଂ ଟ୍ରାନ୍ସରମେଟିଭ ସରକାର ଚାଲିଛି । କିନ୍ତୁ ପ୍ରକୃତରେ ବାଲିଆପାଳ ବ୍ଲକର ବିଡିଓଙ୍କ ଦୌରାତ୍ମ୍ୟ ଓ ଦୁର୍ବ୍ୟବହାରକୁ ଲକ୍ଷ୍ୟ କଲାପରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିବା ମନେ ହେଉଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ନିର୍ବାଚିତ ପ୍ରତିନିଧିମାନେ ଲୋକମାନଙ୍କର ସୁବିଧା, ଅସୁବିଧା ସହିତ ସେ ଅଞ୍ଚଳର ସମସ୍ୟାକୁ ସମାଧନ ପାଇଁ କାମ କରିବା କଥା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ବାଲିଆପାଳ ବ୍ଲକର ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିଚାଲିଛନ୍ତି । ତାଙ୍କର ଦୁଃବ୍ୟବହାର ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ସମସ୍ତ ସୀମା ସରହଦ ଟପିଗଲାଣି । ସେମାନେ ଅତିଷ୍ଠ ହୋଇ ତାଙ୍କର ଏଭଳି ଆଚରଣ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ୨ ଦିନ ଧରି ଆମରଣ ଅନଶନ କରିଥିଲେ ।"
"ଏଡିଏମ ଅନଶନ ସ୍ଥଳକୁ ଆସି ଅନଶନରତ ସବୁ ଦଳର ୪୨ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଅନଶନ ଭଙ୍ଗ କରିଥିଲେ । ଆସନ୍ତା ୧୫ ଦିନ ଭିତରେ ବିଡିଓଙ୍କୁ ବଦଳି କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୧୫ ଦିନ ଅତିକ୍ରାନ୍ତ କଲା ପରେ ମଧ୍ୟ ଜିଲ୍ଲାପ୍ରଶାସନ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କଲେ ନାହିଁ । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ ତଥା ବିଭାଗୀୟ ସଚିବ ଏ ଘଟଣା ବାବଦରେ ଅବଗତ ଥାଇ ମଧ୍ୟ ଚୁପ ରହିଲେ" କହି ବର୍ଷିଛି କଂଗ୍ରେସ ।
ଏହା ମଧ୍ୟ ପଢନ୍ତୁ...ମହିଳା ଏଏସଆଇ ଅସଦାଚରଣ କରି ବନ୍ଧା ହେଲେ ବିଜେପି କର୍ପୋରେଟର
"ପ୍ରତିଶ୍ରୁତି ପାଳନ ନକରିବା ଯୋଗୁଁ ୪୨ ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ପୁର୍ନବାର ଜାନୁଆରୀ ୮ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି । ବ୍ଲକର ବିକାଶ କାମ ଠପ ହୋଇଯାଇଛି । ଆମ ବ୍ୟବସ୍ଥାରେ ବାବୁ ମାନେ ବଡ଼ ନା ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ବଡ଼ ତାହା ଏ ସରକାର ଘୋଷଣା କରନ୍ତୁ । ବିଡିଓଙ୍କୁ ଯଦି ୭୨ ଘଣ୍ଟା ଭିତରେ ବଦଳି କରିବା ସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବାଧ୍ୟ ହୋଇ ରାସ୍ତାରୋକ କରାଯିବ । ସେଥିପାଇଁ ସରକାର ଦାୟୀ ରହିବେ" କହି ଚେତାବନୀ ଦେଇଛି କଂଗ୍ରେସ ।
ଇଟିଭି ଭାରତ, ଭୁବନେଶ୍ବର