ବାଲେଶ୍ଵର: ସହରରୁ ବିଳମ୍ବିତ ରାତିରେ ହେଉଛି ଗାଈ ଚୋରି । ତାହା ବି ସ୍କର୍ପିଓରେ ଜବରଦସ୍ତ ଭର୍ତ୍ତି କରି ଚୋରି କରାଯାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ଏହି ସମୟରେ ହେଉଥିବା ଗାଈ ଚୋରିର ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଛି ।
ସିସିଟିଭି ଫୁଟେଜ ଅନୁଯାୟୀ, ଗତ 11 ତାରିଖ ବିଳମ୍ବିତ ରାତିରେ ସହରର ଭୋଇସାହି ରାସ୍ତା ଦେଇ ଏକ ସ୍କର୍ପିଓ ବୁଲୁଛି । ପରେ ରାସ୍ତା କଡ଼ରେ ଶୋଇଥିବା ଗାଈଙ୍କ ପାଖରେ ଆସି ଗାଡିଟି ଅଟକୁଛି । ଗାଡିରୁ କିଛି ଲୋକ ଓହ୍ଲାଇ ଗୋଟିଏ ଗାଈ ପାଖକୁ ଯାଇ ଦଉଡିରେ ଫାସ ପକାଉଛି । ଏହାପରେ ଦୁଇ ତିନିଜଣ ମିଶି ଜୋର ଜବରଦସ୍ତ ଗାଈଟିକୁ ଗାଡି ଭିତରକୁ ଠେଲି ଦେଇ କବାଟ ବନ୍ଦ କରି ସେଠାରୁ ଚମ୍ପଟ ମାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
ଅତି ନୃଶଂସ ଭାବେ ଗାଈ ଚୋରି କରୁଥିବାବେଳେ ଅପରପଟେ ଏକ ଦୋକାନରେ ଲାଗିଥିବା ସିସିଟିଭିରେ ଏହି ସବୁ ଦୃଶ୍ୟ ହୋଇଥିଲା । ଯାହା ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଭାଇରାଲ ଭିଡ଼ିଓର ସତ୍ୟାସତ୍ୟ ଅନୁସନ୍ଧାନ କରି ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ