ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି । ସିକ୍ୟୁରିଟି ଗାର୍ଡ ଓ କିଛି ଯୁବକଙ୍କ ମଧ୍ୟରେ ସାମାନ୍ୟ କଥାରେ ବଚସା ପରେ ହାତାହାତି ଓ ପରେ ମୁଣ୍ଡ ଫଟାଫଟି ଭଳି ପରିସ୍ଥିତି ଉପୁଜିଥିଲା ।
ଘଟଣାରୁ ପ୍ରକାଶ, ବିକାଶ ଦାସ ତାଙ୍କ ପିଲାର ଚିକିତ୍ସା ପାଇଁ ବାଲେଶ୍ବର ଡାକ୍ତରଖାନାକୁ ଆଣିଥିଲେ। ବିକାଶଙ୍କ ସହିତ ତାଙ୍କର ସମ୍ପର୍କୀୟ ବଡ଼ ଭାଇ ମଧ୍ୟ ଆସିଥିଲେ । ହସ୍ପିଟାଲ ଆସିବାବେଳେ ବିକାଶ ହସ୍ପିଟାଲର ମୁଖ୍ୟ ଗେଟ ବଦଳରେ ପଛଗେଟ ଦେଇ ଆସିବା ବେଳେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଛାଡି ନଥିଲେ। ଫଳରେ ତାଙ୍କର ସିକ୍ୟୁରିଟି ଗାର୍ଡଙ୍କ ସହିତ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।
ଏହାକୁ ନେଇ କିଛି ସିକ୍ୟୁରିଟି ଗାର୍ଡ ଏକାଠି ହୋଇଥିବାବେଳେ ବିକାଶ ଦାସ ଓ ତାଙ୍କ ବଡ଼ ଭାଇ ଦିଲ୍ଲୀପ ବେହେରାଙ୍କ ସହ ମାରପିଟ୍ ହୋଇଥିଲା । ସିକ୍ୟୁରିଟି ଗାର୍ଡଙ୍କ ମାଡ଼ରେ ବିକାଶଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ଦିଲ୍ଲୀପଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡିଛି । ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ