ବାଲେଶ୍ବର: ମନ୍ତ୍ରୀ ପଦ ପାଇବା ପରେ ପ୍ରଥମ ଥର ବାଲେଶ୍ବର ଗସ୍ତରେ ଆସିଛନ୍ତି କେନ୍ଦ୍ର ପଶୁ ସଂପଦ ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ସିମୁଳିଆ ଠାରେ ଦଳ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସେଠାରୁ ଏକ ବାଇକ ରାଲିରେ ସହରର ଗାନ୍ଧୀ ସ୍ମୃତି ଭବନକୁ ଅଣାଯିବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ।
ଜିଲ୍ଲାବାସୀଙ୍କ ଠାରୁ ଅଜସ୍ର ଭଲପାଇବା ପାଇଥିବାରୁ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ । ତେବେ ଏହି ଗସ୍ତରେ ମନ୍ତ୍ରୀ ଗୋମାତା, ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଫୋକସ କରିଥିଲେ । ଗ୍ରାମାଞ୍ଚଳରେ ବୁଡି ଯାଇଥିବା କୁଟୀର ଶିଳ୍ପକୁ ପୁନଃରୁଦ୍ଧାର ସହ ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଇ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ କହିଥିଲେ ।
ଏପରିକି ଆଗକୁ ଆଉ ଗୋହତ୍ୟା ହେବନି ଏବଂ ଗୋମାତାଙ୍କୁ ଲୋକେ ବିକ୍ରି କରି ପାରିବେ ନାହିଁ । ସେଥିପାଇଁ ଗୋମୂତ୍ରର ଉପକାର ବିଷୟରେ ପରୀକ୍ଷଣ ଚାଲିଛି ବୋଲି ଶ୍ରୀ ଷଡଙ୍ଗୀ କହିଥିଲେ । ଏହାପରେ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଥିଲେ । ପରେ ନୀଳଗିରି ଆୟୋଜିତ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ମନ୍ତ୍ରୀଙ୍କୁ ପାଇ ବେଶ ଖୁସି ହୋଇପଡିଛନ୍ତି ବାଲେଶ୍ବର ବାସୀ । ଦଳର ବିଭିନ୍ନ କର୍ମୀଙ୍କ ସହ ବିଧାୟକ ମଧ୍ୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ