ବାଲେଶ୍ବର: ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରାର୍ଥିବ ଶରୀର ବାଲେଶ୍ବରରେ ପହଞ୍ଚିଛି । ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବିଳମ୍ବିତ ରାତିରେ ମଦନ ମୋହନଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ଏହାସହ ବିଧାୟକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଦଳର ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହାସହ ସେ କହିଛନ୍ତି ବିଧାୟକ ହେବାପରେ ମଦନ ମୋହନ ଲୋକଙ୍କ ପାଇଁ ଅବିରତ କାର୍ଯ୍ୟ କରିଛନ୍ତି ।
କୁରୁଡ଼ାଠାରୁ କର୍ମୀମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ମର ଶରୀରକୁ ସହର ପରିକ୍ରମା କରାଇଛନ୍ତି । ସହରର ଫାଣ୍ଡିଛକ, ବିଜେପି କାର୍ଯ୍ୟାଳୟ, ମୋତିଗଞ୍ଜ ପରେ ବାସଭବନକୁ ନିଆଯାଇଥିଲା ପ୍ରାର୍ଥିବ ଶରୀର। ବିଧାୟକଙ୍କ ଅନ୍ତିମ ଶୋଭାଯାତ୍ରାରେ ବହୁ ବିଜେପି ତଥା ଅନ୍ୟ ଦଳର ନେତାମାନେ ସାମିଲ ହୋଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆଜି ସକାଳେ ମର ଶରୀର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି ।
ବାଲେଶ୍ବରରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ