ବାଲେଶ୍ବର: ଦୃଢ଼ ଇଛା ଶକ୍ତି ଆଗରେ ହାର ମାନେ ସବୁ ବାଧା। ଆଉ ଯେତେବେଳେ ଜଣେ ନାରୀ ଆଗକୁ ବଢିବାକୁ ଭାବିନିଏ ସବୁ ବାଧାବିଘ୍ନକୁ ଆଡେଇ ସେ ମାଡିଚାଲେ ଆଗକୁ ଆଗକୁ । ମହିଳା ଯେ କେବଳ ଘର କଣରେ ବସି ଘରର ଦାୟିତ୍ୱ ନେବେ ତାହାକୁ ଭୁଲ ପ୍ରମାଣିତ କରି ଅନେକ ରୋଜଗାର ଆଧାର ଥିବା ମହିଳାମାନଙ୍କ ପାଇଁ ସେ ରୋଜଗାରର ମାଧ୍ୟମ ହେବା ସହ ସେମାନଙ୍କୁ ଦେଇଛନ୍ତି ନୂଆ ପରିଚୟ। ଆମେ କହୁଛୁ ବାଲେଶ୍ଵର ସହରର ଫକୀର ମୋହନ ଗୋଲେଇ ନିକଟରେ ରହୁଥିବା ବନ୍ଦନା ଡିଡ଼ୱାନାଙ୍କ କଥା।
ଫେସବୁକ ଓ ହ୍ଵାଟ୍ସଆପରେ ବ୍ୟବସାୟ, ନୂଆ କୌଶଳ ଦେଲା ମହିଳାଙ୍କୁ ନୂଆ ପରିଚୟ ବନ୍ଦନାଙ୍କର ଅର୍ଥ ଅଭାବ ନଥିଲେ ମଧ୍ୟ ସବୁବେଳେ କିଛି ନୂଆ କରିବାର ଆକାଂକ୍ଷା ରହିଥିଲା। କେବଳ ଯେ ଜୀବନରେ ଅର୍ଥ ସବୁକିଛି ତାହା ନୁହେଁ ବରଂ ନିଜେ ପରିଚିତ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇ ପାରିବା ହିଁ ଜୀବନର ମନ୍ତ୍ର ବୋଲି ବନ୍ଦନା ଦୃଢ଼ମନା ଥିଲେ। କିଛି ନୂଆ କରିବାର ଆଶା ନେଇ ଜୀବନ ବିତୁଥିବା ବେଳେ ବନ୍ଦନାଙ୍କ ବିବାହ ହୋଇଯାଇଥିଲା। ଏହାପରେ ସେ ନିଜ ସଂସାର ଭିତରେ ମଜ୍ଜି ଯାଇଥିଲେ ସତ ମାତ୍ର ତାଙ୍କର ଇଚ୍ଛା କିଛି ନୂଆ କରିବାର ସେ ଆଶା ମଉଳି ନଥିଲା। ଘର ସାଜସଜ୍ଜା ପାଇଁ କିଛି ନୂତନ ପ୍ରକାରର ସାମଗ୍ରୀ ତିଆରି କରିବା ପାଇଁ ବନ୍ଦନା ମନସ୍ଥ କରି ନିଜ ବାପଘର କଲିକତାରୁ ବିଭିନ୍ନ ସାମଗ୍ରୀ କିଣି ସେସବୁକୁ ସୂତାରେ ଗୁନ୍ଥି କରିଥିଲେ ଆକର୍ଷଣୀୟ। ବାସ ସେହିଦିନ ଠାରୁ ବନ୍ଦନା ଆଉ ପଛକୁ ଚାହିଁ ଫେରି ନାହାନ୍ତି। ରେକ୍ସିନ ସୁତା, ମୋତି, ପ୍ଲାଷ୍ଟିକ ଫୁଲ, ପ୍ଲାଷ୍ଟିକ ଗହଣା ଭଳି ସାମଗ୍ରୀ ବଜାରରୁ କିଣି ବନ୍ଦନା ଟିଆରି କରୁଛନ୍ତି ଆକର୍ଷଣୀୟ ସାଜସଜ୍ଜା ସାମଗ୍ରୀ। ଏଥିପାଇଁ ବନ୍ଦନା ପ୍ରାୟ 8 ରୁ 10 ଜଣ ମହିଳା ଓ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। କୋରୋନା ଭଳି ମହାମାରୀ ଓ ଲକଡାଉନ ବେଳେ ମଧ୍ୟ ବନ୍ଦନା ଏହି କାମ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି। ବର୍ତ୍ତମାନ ବନ୍ଦନାଙ୍କ ପାଖରେ 100 ରୁ ଉର୍ଦ୍ଧ୍ବ ପ୍ରକାରର ଘର ସଜେଇବା ପାଇଁ ଜିନିଷ ରହିଛି। ଏଥିପାଇଁ ସେ ନିଯୁକ୍ତ କରିଥିବା ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇ ନୂଆନୂଆ କୌଶଳରେ ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି। କେବଳ ଭାରତ ନୁହେଁ ସେ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ନିଜ ହାତ ତିଆରି ସାମଗ୍ରୀ ଫେସବୁକ ଓ ହ୍ଵାଟ୍ସଆପ ଜରିଆରେ ବ୍ୟବସାୟ କରୁଛନ୍ତି। ଖାଲି ସେତିକି ନୁହେଁ ସେ ନବରାତ୍ର ହେଉକି ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ ସହରର ବିଭିନ୍ନ ମଣ୍ଡପ ସଜାଉଛନ୍ତି ବନ୍ଦନା। ଏହାସହ ତାଙ୍କ ହାତ ତିଆରି କୃଷ୍ଣ ଝୁଲଣ ମଧ୍ୟ ଲୋକମାନଙ୍କ ମଧ୍ୟରେ ବେଶ ଡିମାଣ୍ଡ ରଖିଛି। ବନ୍ଦନା ଯେ କେବଳ ଘର ସମ୍ଭାଳୁଛନ୍ତି ତାହା ନୁହେଁ ବରଂ ଅନେକ ଲୋକଙ୍କ ଘର ସମ୍ଭାଳିବା ପାଇଁ ସେ ଖୋଲି ଦେଇଛନ୍ତି ମାଧ୍ୟମ। ତାଙ୍କର ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କୁ ଦିନକ ଆଗରୁ ଅର୍ଡର ଦେଲେ ସୁନ୍ଦର ସୁନ୍ଦର ଗିଫ୍ଟ ଆଇଟମ ତିଆରି କରି ଗ୍ରାହକଙ୍କ ନିକଟ ପହଞ୍ଚାଇ ଦେଉଛନ୍ତି ବନ୍ଦନା। ତାଙ୍କ ପାଖରେ ଥିବା ବିଭିନ୍ନ ଜିନିଷର ଦାମ 200 ଟଙ୍କାରୁ ଆରମ୍ଭ କରି 5000 ଟଙ୍କା ପର୍ଯ୍ୟନ୍ତ ରହିଛି। ତାଙ୍କ ପାଖରେ କାମ କରୁଥିବା ମହିଳାମାନେ ମଧ୍ୟ ତାଙ୍କର ବ୍ୟବହାର ଓ କୌଶଳକୁ ତାରିଫ କରିଛନ୍ତି। ଏମିତିକି ତାଙ୍କର ବାନ୍ଧବୀମାନେ ମଧ୍ୟ ତାଙ୍କ ହାତ ଟିଆରି ଜିନିଷ ଗୁଡିକର ବେଶ ତାରିଫ କରୁଛନ୍ତି। ତେବେ ବନ୍ଦନାଙ୍କ ପ୍ରୟାସ ପାଇଁ ଆଜି ଅନେକ ଘରେ ଚୁଲି ଜଳିବାରେ ସହାୟକ ହୋଇ ପାରୁଛି। ଜଣେ ମହିଳା ଉଦ୍ୟୋଗୀ ଭାବେ ବନ୍ଦନା ନିଜ ପ୍ରଚେଷ୍ଠାରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ସତରେ ମହିଳାମାନେ ମାଟି କୁ ସୁନାରେ ପରିଣତ କରିବା ଭଳି କ୍ଷମତା ରଖିଥାନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ